କର୍ତ୍ତବ୍ୟ ପଥରେ ଦମ୍ ଦେଖାଇଲା ଭାରତ: ରଙ୍ଗାରଙ୍ଗ ଉତ୍ସବରେ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

1 min read

ନୂଆଦିଲ୍ଲୀ: ଦିଲ୍ଲୀ କର୍ତ୍ତବ୍ୟ ପଥରେ ଦମ୍ ଦେଖାଇଲା ଭାରତ। ରଙ୍ଗାରଙ୍ଗ ଉତ୍ସବରେ ପାଳିତ ହୋଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ପ୍ରଦର୍ଶିତ ହୋଇଛି ଦେଶର ସାମରିକ ଶକ୍ତିର ଉତ୍କର୍ଷ। ଏହା ସହ ଦେଶର ସାଂସ୍କୃତିକ ବୈଭବ୍ୟ ପ୍ରତିଫଳିତ ହୋଇଛି ପରେଡରେ। ସମ୍ବିଧାନ ପ୍ରଣୟନର ପ୍ଲାଟିନମ ଜୁବିଲିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଅନ୍ତୋ । ପରେଡରେ ଇଣ୍ଡୋନେସିଆର ୩୫୨ ସଦଦ୍ୟ ବିଶିଷ୍ଟ ମାର୍ଚ୍ଚିଂ ଓ ବ୍ୟାଣ୍ଡ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ପରେଡ ପୂର୍ବରୁ ଇଣ୍ଡିଆ ଗେଟ ନିକଟସ୍ଥ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ଯବାନଙ୍କୁ ସ୍ମୃତି ଅର୍ଘ୍ୟ ଅର୍ପଣ କରାଯାଇଥିଲା। ଉତ୍ସବରେ ପ୍ରାୟ ୧୦ ହଜାର ସ୍ବତନ୍ତ୍ର ଅତିଥି ଉପସ୍ଥିତ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଲ୍ୟୁଟ ଗ୍ରହଣ କରିଥିଲେ। ପରେଡରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୬ଟି ପ୍ରଜ୍ଞାପନ ମେଢ ଏବଂ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଓ ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।

ଚଳିତ ବର୍ଷର ଥିମ ରହିଥିଲା- ସ୍ବର୍ଣ୍ଣିମ ଭାରତ-ବିରାସତ ଔର ବିକାଶ। ପରେଡରେ ବ୍ରହ୍ମୋସ ମିସାଇଲ, ପିନାକ ରକେଟ ସିଷ୍ଟମ, ଆକାଶ ଏୟାର ଡିଫେନ୍ସ ସିଷ୍ଟମ ଆଦି ପ୍ରଦର୍ଶିତ ହୋଇଥିଲା। ଏହା ସହ ଆର୍ମିର ବ୍ୟାଟଲ ସର୍ଭେଲାନ୍ସ ସିଷ୍ଟମ ସଞ୍ଜୟ, ଡିଆରଡିଓର ପ୍ରଳୟ ଟାକ୍ଟିକାଲ ମିସାଇଲ, ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିସାଇଲ ସିଷ୍ଟମ ବି ପ୍ରଦର୍ଶିତ ହୋଇଥିଲା। ଦେଶର ସଶସ୍ତ୍ର ବାହିନୀର ଗୌରବର କୀର୍ତ୍ତି ବହନ କରୁଥିବା ତିନି ବାହିନୀ ପକ୍ଷରୁ ଏକ ମିଳିତ ଟାବଲ୍ୟୁ ବି ପରେଡରେ ଭାଗ ନେଇଥିଲା। ଡିଆରଡିଓର ଟାବଲ୍ୟୁର ଥିମ୍ ରହିଥିଲା ରକ୍ଷା କବଚ। ବାୟୁ ସେନାର ସି-୧୩୦ଜେ ସୁପର ହରକ୍ୟୁଲ୍ସ, ସି-୧୭ ଗ୍ଲୋବମାଷ୍ଟର, ଏସୟୁ-୩୦ ଫାଇଟର ଜେଟ, ତଟରକ୍ଷୀ ବାହିନୀର ୩ଟି ଡୋର୍ନିୟର ଏୟାରକ୍ରାଫ୍ଟ ବି ନିଜ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ। ସେହିପରି କର୍ପସ ଅଫ ସିଗନାଲ୍ସର ଏକ ମୋଟର ସାଇକେଲ ଟିମ ପ୍ରଦର୍ଶିତ କରିଥିଲେ ଡେୟାରଡେଭିଲ ସୋ। କର୍ତ୍ତବ୍ଯ ପଥରେ ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ କରିଥିଲେ ପ୍ରାୟ ୫ ହଜାର କଳାକାର। ସାରେ ଜାହାଁ ସେ ଆଚ୍ଛା ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ ୩ ଶହ ଶିଳ୍ପୀ। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସାରା ଦିଲ୍ଲୀରେ ମୁତୟନ ହୋଇଥିଲେ ୭୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଏବଂ ୭୦ ହଜାର ପୋଲିସ। ସାରା ସହର ରହିଥିଲା ୨ ହଜାର ୫୦୦ ସିସିଟିଭି ନଜର ବଳୟରେ ।