ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପର ଏହି ଦୁଇ ନେତା, ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ଉପରେ ନଜର
ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଗଣତନ୍ତ୍ର ଦିବସ ଭାରତ ପାଇଁ ବିଭିନ୍ନ ଦିଗରୁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କୁଟନୈତିକ ସ୍ତରରେ ହେଉ କି ଆର୍ଥିକ ସ୍ତରରେ ଏହା ଭାରତ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ଥ ହୋଇପାରେ । କାରଣ ୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର ଲେୟେନ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଏଣ୍ଟୋନିଓ କୋଷ୍ଟାଙ୍କୁ ଆମନ୍ତ୍ରଣ କରାଯାଇଛି ।
କୁହାଯାଉଛି, ଏହି ୟୁରୋପର ଏହି ଦୁଇ ଶୀର୍ଷ ନେତା ଯେତେବେଳେ ଭାରତ ଆସିବେ ସେତେବେଳେ ଦୁଇ ପକ୍ଷ ମଧ୍ୟରେ ବ୍ୟବସାୟ ବୁଝାମଣା ଓ ଶିଖର ସମ୍ମିଳନୀର ବି ଆୟୋଜନ କରାଯାଇପାରେ । ଯେଉଁଠାରେ ଦୁଇ ପକ୍ଷଙ୍କ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରୀମେଣ୍ଟକୁ ନେଇ ଚର୍ଚ୍ଚା ବି ହୋଇପାରେ ।
ସୂଚନାଯୋଗ୍ୟ ଦୀର୍ଘ ସମୟ ହେଲା ଭାରତ ଓ ୟୁରୋପୀୟ ସଙ୍ଘ ଏଫଟିଏକୁ ନେଇ ଆଲୋଚନା କରୁଛନ୍ତି । ବ୍ୟବସାୟ, ପୁଞ୍ଜିନିବେଶ, ଟେକ୍ନୋଲଜି ଓ ସପ୍ଲାଇ ଚେନ ପରି ବିଷୟକୁ ନେଇ ଏହି ବୁଝାମଣା ଦୁଇ ପକ୍ଷଙ୍କ ପାଇଁ ରଣନୈତିକ ସ୍ତରରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଉପସ୍ଥିତି ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ ଭାରତ ସହ ସମ୍ପର୍କକୁ କେବଳ କୁଟନୈତିକ ସ୍ତରରେ ନୁହେଁ, ବରଂ ଆର୍ଥିକ ବୁଝାମଣା ସହ ନୂଆ ସ୍ତରକୁ ନେବାକୁ ଚାହୁଁଛି ।

