ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ, ସଜେଇ ହେଲାଣି ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିଲାଗି ସାରା ଦେଶ ଚଳଚଞ୍ଚଳ । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଲାଗି ବ୍ୟାପକ ଆୟୋଜନ ହୋଇଛି । କର୍ତ୍ତବ୍ୟପଥରେ ଏହି ପରେଡ୍ ପ୍ରଦର୍ଶିତ ହେବ । ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।

ପ୍ରଜ୍ଞାପନ ମେଢ ସହ ୩ ସେନା, ଅର୍ଦ୍ଧସାମରିକ ବାହିନୀ, ଏନସିସି ସହ ଅନ୍ୟ ଦଳକୁ ନେଇ ପରେଡ୍ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କର୍ତ୍ତବ୍ୟପଥରେ ୧୪ ହଜାର ପୋଲିସ କର୍ମୀ ମୁତୟନ ରହିବେ। ଦିଲ୍ଲୀ ସହର ମଧ୍ୟକୁ ଭାରିଯାନ ଏବଂ ହାଲୁକା ମାଲବାହୀ ଯାନ ପ୍ରବେଶ ଉପରେ କଟକଣା ଲାଗିଛି । କର୍ତ୍ତବ୍ୟପଥରେ ୭୭ ହଜାର ଜନତା ପରେଡ ଦେଖିବେ । ସେମାନଙ୍କ ମଧ୍ୟରେ ରହିବେ ୪୨ ହଜାର ଆମନ୍ତ୍ରିତ ଅତିଥି।

ଆଜିରାତିରୁ ଦିଲ୍ଲୀର ସମସ୍ତ ସୀମା ସୁରକ୍ଷା୍କର୍ମୀଙ୍କ ନଜରରେ ରହିବ । ସାଧାରଣତନ୍ତ୍ର ଦିବସ ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି । ଆଜି ରାତି ୮ଟାରୁ ଆରମ୍ଭ ହୋଇ କଟକଣା ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ନିର୍ଦ୍ଦେଶନାମା ଅନୁସାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପୁରୁଣା ଦିଲ୍ଲୀ ଷ୍ଟେସନ, ନିଜାମୁଦ୍ଦିନ ଷ୍ଟେସନ ଏବଂ ଆନନ୍ଦବିହାର ଷ୍ଟେସନ ନିକଟରେ କୌଣସି ଗାଡ଼ି ପାର୍କ କରିବାକୁ ଅନୁମତି ନାହିଁ ।

ଦିଲ୍ଲୀରେ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନକୁ ଆସୁଥିବା ଗାଡି ଷ୍ଟେସନ ବାହାରେ ଅପେକ୍ଷା କରିବେ । ଜାନୁଆରୀ ୨୩ରୁ ଆରମ୍ଭ ହୋଇଥିବା ଭାରତ ପର୍ବ ଲାଗି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଭାରତ ପର୍ବ । ଏଠାରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଥିବା ପ୍ରଜ୍ଞାପନ ମେଢ ଲୋକଙ୍କ ଦର୍ଶନ ଲାଗି ରହିବ । ଏହାସହ ସେନାବାହିନୀ ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଷ୍ଟଲ, କ୍ରାଫ୍ଟ ବଜାର ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଭିଲିୟନ ରହିଛି।