ଆଫଗାନିସ୍ତାନର ଗରିବଙ୍କ କଥା କହୁଥିଲେ ବୋଲି ସାମ୍ବାଦିକଙ୍କୁ ମାରିଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରଠାରୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ରହିଛି । ତାଲିବାନ ନିଜର ଅଲଗା ଗୋଟିଏ ଚେହେରା ଦେଖାଇବାକୁ ଚେଷ୍ଟା କରୁଛି । କାହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ତାଲିବାନ ଗୁରୁବାର ଦିନ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି । ଏହି ସାମ୍ବାଦିକଙ୍କ ଭୁଲ ଥିଲା ଯେ, ସେ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ ଅସୁବିଧା ଉପରେ ରିପୋର୍ଟିଂ କରୁଥିଲେ ।

ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ଜଣକ ଆଫଗାନିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ତୋଲୋ ନ୍ୟୁଜ୍ ପାଇଁ କାର୍ଯ୍ୟ କରୁଥିଲେ । ରିପୋର୍ଟ ଅନୁସାରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତୋଲୋ ନ୍ୟୁଜ୍ ଅନୁସାରେ ସାମ୍ବାଦିକ ଜିୟରା ୟାଦ୍ ଗରିବଙ୍କ ଅବସ୍ଥା ଉପରେ ରିପୋର୍ଟିଂ କରୁଥିବା ବେଳେ କିଛି ତାଲିବାନୀ ଆତଙ୍କବାଦୀ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ସେମାନେ ମଧ୍ୟ ୟାଦଙ୍କ ସହିତ ଥିବା ତାଙ୍କ କ୍ୟାମେରାମ୍ୟାନଙ୍କୁ ପିଟିଥିଲେ । ପିଟିବା ପରେ ଆତଙ୍କବାଦୀ ତାଙ୍କ କ୍ୟାମେରାକୁ ଭାଙ୍ଗି ଦେଇଥିଲେ ।

ସାମ୍ବାଦିକଙ୍କ ହତ୍ୟା ସେହି ସମୟରେ ହୋଇଛି ଯେତେବେଳେ ତାଲିବାନ ସମସ୍ତଙ୍କୁ ସର୍ବକ୍ଷମା କଥା ଘୋଷଣା କରିଛି । ସାମ୍ବାଦିକଙ୍କ ହତ୍ୟା ପରେ ତାଲିବାନର ଏହି ଦାବି କେତେ ସତ ତାହା ଜଣା ପଡୁଛି । ଗୋଟେପଟେ ଦେଶରେ ଶାନ୍ତି ବଜାୟ ରହିବାର କଥା କହୁଥିବା ତାଲିବାନ ନିଜ ଚରିତ୍ରକୁ ଏବେ ବି ସେମିତି ରଖିଛି  । ସାଧାରଣ ଲୋକଙ୍କ ଅବସ୍ଥାକୁ ସାମ୍ବାଦିକ ଭାବେ ଉପସ୍ଥାପନା କରୁଥିବା ଜିୟରା ୟାଦଙ୍କୁ ହତ୍ୟା କରିବା ଘଟଣା ଏବେ ବିଶ୍ୱବ୍ୟାପୀ ପ୍ରଚାର ହୋଇଛି  ।

ରୟଟର ସାମ୍ବାଦିକଙ୍କୁ ହତ୍ୟା
ୟାଦଙ୍କ ହତ୍ୟା ପୂର୍ବରୁ ତାଲିବାନ ରୟଟରର ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ମଧ୍ୟ ହତ୍ୟା କରିଥିଲା । ଆଫଗାନ୍ ସେନା ସହିତ ଥିବା ସିଦ୍ଦିକିଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିବା ପରେ ତାଙ୍କ ମୁଣ୍ଡ ଉପରେ ତାଲିବାନ ଗାଡି ଚଢାଇ ଦେଇଥିଲା । କାନ୍ଧାହାର ପ୍ରଦେଶର ସ୍ପିନବୋଲଡେକ୍ ସହରରେ ଏହି ହତ୍ୟା ହୋଇଥିଲା ।

Leave a Reply