spot_img

Latest Posts

ବିରୋଧି ଦଳରେ ଫାଟ, କଂଗ୍ରେସ ଓ ଏନସିପି ବିଧାୟକଙ୍କ ମୁର୍ମୁଙ୍କୁ ଭୋଟ୍

ନୂଆଦିଲ୍ଲୀ: କଂଗ୍ରେସରେ ଭୂକମ୍ପ। ରାଷ୍ଟ୍ରପତି ନିର୍ବାଚନରେ ବାଜିମାରୁଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଉ ତାଙ୍କୁ ଜିତାଉଛନ୍ତି ଖୋଦ୍ ବିରୋଧୀ। AIUDF ବିଧାୟକଙ୍କ ଅଭିଯୋଗ ଯେ, ଆସାମର ୨୦ରୁ ଅଧିକ ବିଧାୟକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ତାଙ୍କ ଅନୁସାରେ ଗତକାଲି କଂଗ୍ରେସ ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଯେଉଁ ମିଟିଂ ଡକା ଯାଇଥିଲା ସେଥିରେ ମାତ୍ର ଦୁଇ ଜଣ ବିଧାୟକ ଯୋଗ ଦେଇଥିଲେ । ଅନୁପସ୍ଥିତ ବାକି ବିଧାୟକ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟିର ଜଣେ ବିଧାୟକ ମଧ୍ୟ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଶରଦ ପାୱାରଙ୍କ ଦଳର ଗୁଜରାଟର ବିଧାୟକ କନ୍ଧାଲ ଏସ ଜାଡେଜା ଭୋଟ୍ ଦେବା ପରେ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ମଧ୍ଯ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା କହିଛନ୍ତି। ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ କଂଗ୍ରେସ ଓ ଏନସିପି ନିଜ ବିଧାୟକଙ୍କ ମନ ପରିବର୍ତ୍ତନ ପାଇଁ ଚିନ୍ତାରେ ନାହିଁ। ବିଜେପିଙ୍କୁ ମଧ୍ୟ ବିଧାୟକଙ୍କ ଦଗା ଦେବା ଡର ଡରାଉଛି।

ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ସମାଜବାଦୀ ପାର୍ଟି ନିଜ ବିଧାୟକଙ୍କ ମନ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛି । ପଶ୍ଚିମବଙ୍ଗରେ ବିଜେପିକୁ ଡର ଯେ, ତା’ର ବିଧାୟକ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଭୋଟ୍ କରିପାରନ୍ତି । ତେଣୁ ବିଜେପି ତା’ର ସମସ୍ତ ବିଧାୟକଙ୍କୁ ଗୋଟିଏ ହୋଟେଲରେ ଦିନକ ଆଗରୁ ଏକାଠି ରଖିଛି। ଶୁଭେନ୍ଦୁ ଅଧିକାରୀ, ମନୋଜ ତିଗା ଓ ସ୍ୱପନ ମଜୁମଦାରଙ୍କୁ ବିଧାୟକ ଯେପରି ଦଳୀୟ ଲାଇନରେ ଭୋଟ୍ କରନ୍ତି ତାହା ଦେଖିବା ଦାୟିତ୍ୱ ଦିଆଯାଇଛି।

Latest Posts

Don't Miss