ବାଂଲାଦେଶ ହିଂସାକୁ ନେଇ ଚାଞ୍ଚଲ୍ଯକର ରିପୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ହିଂସାକୁ ନେଇ ଜାତିସଂଘର ଚାଞ୍ଚଲ୍ଯକର ତଥ୍ଯ। ହିଂସାରେ ପ୍ରାଣ ହରାଇଛନ୍ତି ପ୍ରାୟ ୬୫୦ ଲୋକ। ଜୁଲାଇ ୧୬ରୁ ଅଗଷ୍ଟ ୧୧ ମଧ୍ଯରେ ୬୫୦ ଆନ୍ଦୋଳନକାରୀଙ୍କ ମୃତ୍ଯୁ ଘଟିଛି ବୋଲି ଜାତିସଂଘ ଶରଣାର୍ଥୀ ସଂକ୍ରାନ୍ତ ଉଚ୍ଚାୟୁକ୍ତ ରିପୋର୍ଟରେ କୁହାଯାଇଛି। ଏହା ସହ ଅମାନୁଷିକ ହତ୍ଯା, ମନଇଚ୍ଛା ଗିରଫଦାରୀ ଓ ଅଟକ ଘଟଣାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ଲାଗି ପ୍ରସ୍ତାବ ଦେଇଛି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ। ରିପୋର୍ଟରେ କୁହାଯାଇଛି- ଜୁଲାଇ ୧୬ରୁ ଅଗଷ୍ଟ ୪ ମଧ୍ଯରେ ବାଂଲାଦେଶରେ ପ୍ରାଣ ହରାଇଥିଲେ ୪ଶହ ଲୋକ। ପରେ ପ୍ରାଣ ହରାଇଥିଲେ ଆଉ ୨୫୦ ଲୋକ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ଯୁତ କରିବା ଲାଗି ହୋଇଥିବା ଆନ୍ଦୋଳନରେ ମୃତ୍ଯୁ ସଂଖ୍ଯା ୬୫୦ ହେବା ନେଇ ସୂଚନା ମିଳିବା ପରେ ଆଶଙ୍କା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି- ଆହତଜନିତ ସମସ୍ଯାରେ ଚିକିତ୍ସିତ ଅବସ୍ଥାରେ ଅନେକ ଆନ୍ଦୋଳନକାରୀଙ୍କ ମୃତ୍ଯୁ ଘଟିଥିଲା। ମୃତକଙ୍କ ମଧ୍ଯରେ ଅଛନ୍ତି ସାଧାରଣ ଲୋକ, ଆନ୍ଦୋଳନକାରୀ, ନିରାପତ୍ତା ରକ୍ଷୀ, ସାମ୍ବାଦିକ ପ୍ରମୁଖ। ମୃତକଙ୍କ ବ୍ଯତୀତ ଅନେକ ଆହତ ବ୍ଯକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛି ଜାତିସଂଘ। କର୍ଫ୍ଯୁ ଓ ଇଣ୍ଟରନେଟ ବନ୍ଦ ଯୋଗୁ ମୃତ୍ଯୁ ସଂଖ୍ଯା ନେଇ ସ୍ପଷ୍ଟ ରିପୋର୍ଟ ଆସିପାରିନାହିଁ ବୋଲି କହିଛି ଜାତିସଂଘ। ସେପଟେ ଦେଶର ୪୮ ଜିଲ୍ଲାର ୨୭୮ଟି ସ୍ଥାନରେ ସଂଖ୍ଯାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି କହିଛି ବାଂଲାଦେଶ ଜାତୀୟ ହିନ୍ଦୁ ସଂଗଠନ। ସେପଟେ ବାଂଲାଦେଶ ହିଂସା ପ୍ରତିବାଦରେ ମହାରାଷ୍ଟ୍ର ନାସିକରେ ଉତ୍ତେଜନା ପ୍ରକାଶ ପାଇଛି। ସଂଖ୍ଯାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସେଠାରେ ପ୍ରତିବାଦ କରାଯାଇଥିଲା।