ବିଜେପି ସରକାରର ମନ୍ତ୍ରୀଙ୍କୁ ଅଡୁଆ ରିପୋର୍ଟ କାର୍ଡ, ସଫଳତା ଅପେକ୍ଷା ବିଫଳତା ଓ ବିବାଦ ବେଶି
1 min readଭୁବନେଶ୍ବର: ୧୫୦ ଦିନର ମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ସମୀକ୍ଷା କରିବ ବିଜେପି । ସଫଳତା ଓ ବିଫଳତାକୁ ମାପଦଣ୍ଡ କରି ମନ୍ତ୍ରୀଙ୍କ ଦକ୍ଷତା ମପାଯିବ । ଏହାକୁ ନେଇ ଅଧିକାଂଶ ମନ୍ତ୍ରୀ ଏବେ ଅଡୁଆରେ ପଡ଼ିଛନ୍ତି । ସେମାନଙ୍କ ଛାତିରେ ଛନକା ପଶିଛି । କାରଣ ସଫଳତା ଅପେକ୍ଷା ବିଫଳତା ଓ ବିବାଦ ଅଧିକ । ରିପୋର୍ଟ କାର୍ଡ଼ରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳ ଜଳ ହୋଇ ଦିଶୁଥିବା କଟାକ୍ଷ କରିଛନ୍ତି ବିଜେଡି ଓ କଂଗ୍ରେସ । ମନ୍ତ୍ରୀମାନେ ନିଜ ସଫଳତାକୁ ନେଇ ଯୁକ୍ତି ବାଢିଥିବା ବେଳେ ପାଞ୍ଚ ଛଅ ମାସରେ ରାଜ୍ୟରେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ଅନେକ ମନ୍ତ୍ରୀ ଓ ସେମାନଙ୍କ ବିଭାଗ ଚର୍ଚ୍ଚାରେ ରହି ଆସିଛନ୍ତି ।
୬ ମାସର ବିଜେପି ସରକାର କ’ଣ କରିଛି ? ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ ହୋଇଛି ? କେମିତି ରହିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ? କୁହାଯାଉଛି, ମନ୍ତ୍ରୀମାନେ ନିଜ ନିଜ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦଳୀୟ ଅଫିସରେ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରନ୍ତି, ତା’ହେଲେ ସେମାନେ ନିଜ ନିଜର ରିପୋର୍ଟ ଦେଖାଇବେ । ଏହାକୁ ନେଇ ସେମାନଙ୍କ ଛାତିରେ ଛନକା ପଶିଛି ।
ଏହାକୁ ନେଇ ବିରୋଧୀ କହିଛନ୍ତି, ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ନିଜ ବିଫଳତା ବି ଉଲ୍ଲେଖ କରନ୍ତୁ । ବିଜେଡିର ଅଭିଯୋଗ କରିଛି, ୫ ମାସର ବିଜେପି ଶାସନରେ ବିକାଶ ସଂପୂର୍ଣ୍ଣ ଠପ୍ ହୋଇ ଯାଇଛି । ରାଜ୍ୟକୁ ଫେରିଛି ଅନାହାର ମୃତ୍ୟୁ । ଆମ୍ଵ ଟାକୁଆ ଖାଇ ଲୋକଙ୍କ ମୃତ୍ଯୁ ହୋଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ।
ସେହିପରି କଂଗ୍ରେସ କହିଛି, ମହାନଦୀ, ପୋଲାଭରମ, ଶିଶୁ ବିକ୍ରି, ଆଦିବାସୀଙ୍କୁ ଅବହେଳା ଓ ନାରୀ ନିର୍ଯାତନା ବିଜେପି ମନ୍ତ୍ରୀଙ୍କ ବିଫଳତାର ବଡ଼ ନିଦର୍ଶନ । ତେବେ ବିରୋଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି ।
କେଉଁ ମନ୍ତ୍ରୀଙ୍କ କେଉଁ ବିଭାଗରେ କ’ଣ ହୋଇଛି ?
ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଖାଇ ୩ ଜଣ ଆଦିବାସୀଙ୍କ ମୃତ୍ୟୁ, ଆଳୁ ସଙ୍କଟ, ନିୟନ୍ତ୍ରଣ ବାହାରେ ଦରଦାମ ନିୟନ୍ତ୍ରଣ । ଏସବୁ ହୋଇଛି ଯୋଗାଣ ବିଭାଗରେ । ଯାହାର ମନ୍ତ୍ରୀ ହେଉଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
ପୃଥ୍ବୀରାଜ ହରିଚନ୍ଦନ ହେଉଛନ୍ତି ଆଇନ, ପୂର୍ତ୍ତ, ଅବକାରୀ ପରି ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ । ପୁରୀ ରଥଯାତ୍ରାରେ ବିଭ୍ରାଟ, ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ, ରାଜ୍ୟପାଳ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ଘଟଣାକୁ ସେ ଚର୍ଚ୍ଚାକୁ ଆସିଛନ୍ତି ।
ସେହିପରି ଗନ୍ଧମାର୍ଦ୍ଦନ ପାଦ ଦେଶରେ ଆଦାନୀର ଜମି କିଣା, ଝାରସୁଗୁଡ଼ା ପାଉଁଶ, କୋଟିଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶ କଲେଜ ନିର୍ବାଚନ କରିବାରେ ଫେଲ୍ ମାରିଛନ୍ତି । ଓଡ଼ିଆ ଅସ୍ମିତା ସ୍ଲୋଗାନ, କେବଳ ସ୍ଲୋଗାନରେ ରହିଯାଇଛି । ଯାହାକି ଆସୁଛି ସଂସ୍କୃତି ବିଭାଗ ଅଧୀନରେ । ସୂରଜ ବି ହେଉଛନ୍ତି ସଂସ୍କୃତି ମନ୍ତ୍ରୀ ।
ହାତୀ ମୃତ୍ୟୁ ଓ ବାଘ ଶିକାର କରି ମାଂସ ଖାଇବା ଭଳି ଅପବାଦ ମୁଣ୍ଡେଇଛି ଜଙ୍ଗଲ ବିଭାଗ । ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ଗଣେଶ ରାମ ଖୁଣ୍ଟିଆ ।
ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇ ନପାରିବା ଓ ଶିଶୁ ବିକ୍ରିକୁ ନେଇ ଚର୍ଚ୍ଚାକୁ ଆସିଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଭାଗ ମହିଳା ଓ ଶିଶୁ ବିକାଶ ।
ସେହିପରି ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ସମସ୍ତଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେଇପାରି ନାହାନ୍ତି । ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଅନେକ ମନ୍ତ୍ରୀଙ୍କ ପ୍ରଦର୍ଶନ ଫିଫଟି-ଫିଫଟି ରହିଛି । ତଥାପି ସେମାନେ ଉତ୍ସାହିତ ।
୫ ମାସର ବିଜେପି ସରକାର ନବୀନ ସରକାରଙ୍କ ୨୧ଟି ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି । ବିକାଶମୂଳକ କାମ ଅପେକ୍ଷା ରଙ୍ଗ ବଦଳାଇବା ଓ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଦିଆଯାଇଛି ପ୍ରାଥମିକତା । ରିପୋର୍ଟ କାର୍ଡ଼ରେ ମନ୍ତ୍ରୀଙ୍କ ପ୍ରଦର୍ଶନରେ ଏସବୁ ମାପଦଣ୍ଡ ସେମାନଙ୍କ ପାଇଁ ସୃଷ୍ଟି କରିବ ଅଡୁଆ ।