ଆଡ଼ପ ପହଣ୍ଡି ବେଳେ ବଳଭଦ୍ର ପଡ଼ିଯିବା ଘଟଣାର ଆସିଲା ରିପୋର୍ଟ

1 min read

ପୁରୀ: ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର ପଡ଼ିଯିବା ଘଟଣାର ଆସିଛି ରିପୋର୍ଟ । ଏଥିରେ କ’ଣ ଅଛି, ଏଯାଏଁ ସ୍ପଷ୍ଟ ହୋଇନାହିଁ । ତିନି ଜଣିଆ ତଦନ୍ତ କମିଟି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ରିପୋର୍ଟ ଦେଇଛନ୍ତି । ପରିଚାଳନା କମିଟି ଆଗରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇ ଆଲୋଚନା କରାଯିବ । ତା’ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ସେବାୟତ କହିଛନ୍ତି- ଦୋଷୀଙ୍କୁ ଦଣ୍ଡ ମିଳୁ । କିପରି ଏପରି ଘଟଣା ପୁନରାବୃତ୍ତି ନ ହେବ, ସେଥିପ୍ରତି ଧ୍ଯାନ ଦେବାକୁ ମଧ୍ଯ ମତ ପ୍ରକାଶ ପାଇଛି ।

ବଡ଼ ଠାକୁର ବଳଭଦ୍ର ମୁହଁ ମାଡ଼ି ପଡ଼ିଯିବା ଘଟଣାର ତଦନ୍ତ ଶେଷ ହୋଇଛି । ତିନି ଜଣିଆ କମିଟି ତଦନ୍ତ ଶେଷ କରି ଏହାର ରିପୋର୍ଟ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିଲେ । ଏଥିରେ ସେ ଉଲ୍ଲେଖ କରିଛନ୍ତି- ଏହି ରିପୋର୍ଟକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଗରେ ଉପସ୍ଥାପନ କରାଯାଇ ଆଲୋଚନା କରାଯିବ । ତା’ପରେ ଯାହା କିଛି ନିଷ୍ପତ୍ତି ନିଆଯିବ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ଯ କହିଛନ୍ତି, ପରିଚାଳନା କମିଟିର ଆସନ୍ତା ବୈଠକରେ ଏହି ରିପୋର୍ଟର ତର୍ଜମା କରାଯିବ ଓ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଏବେ ଚର୍ଚ୍ଚା, ତଦନ୍ତ କମିଟିର ରିପୋର୍ଟରେ କ’ଣ ଅଛି ? ଏତେ ବଡ଼ ଅଘଟଣ ପାଇଁ ରିପୋର୍ଟରେ କାହାକୁ ଦାୟୀ କରାଯାଇଛି କି ? ଆଗକୁ ଯେମିତି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ କ’ଣ କରାଯିବ ? ତଦନ୍ତ କମିଟି କିଛି ସୁପାରିଶ କରିଛି କି ? ଗତ ଜୁଲାଇ ୯ ତାରିଖରେ ହୋଇଥିଲା ଏହି ଅଭାବନୀୟ ଘଟଣା । ବଡ଼ ଠାକୁର ବଳଭଦ୍ରଙ୍କ ଆଡ଼ପ ମଣ୍ଡପ ବିଜେ ପାଇଁ ତାଙ୍କୁ ପହଣ୍ଡି କରାଯାଇ ରଥରୁ ଅଣାଯାଉଥିଲା । ହଠାତ୍ ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଯାଇଥିଲେ ବଡ଼ ଠାକୁର । ସ୍ତବ୍ଧ ହୋଇ ଯାଇଥିଲେ କୋଟି କୋଟି ଭକ୍ତ । ସମସ୍ତଙ୍କୁ ଏହା ଗଭୀର ଆଘାତ ଦେଇଥିଲା । ହୋଇଥିଲା ବଡ଼ ତମ୍ବିତୋଫାନ । କାହିଁକି ନା ଏପରି ଘଟଣା ଆଗରୁ କେବେ ବି ହୋଇ ନଥିଲା । ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ, ସିଟି ଡିଏସପିଙ୍କୁ ନେଇ ଗଠିତ ହୋଇଥିଲା ୩ ଜଣିଆ କମିଟି । ଭିଡିଓ ଫୁଟେଜ ଦେଖିବା ସହିତ ବଳଭଦ୍ରଙ୍କ ବାଡ଼ଗ୍ରାହୀ, ଅନ୍ୟ ସେବାୟତ, ଶ୍ରମନ୍ଦିର ପ୍ରଶାସନର କର୍ମଚାରୀ ଓ ଜେଟିପିଙ୍କୁ ତଦନ୍ତ କମିଟି ପଚରାଉଚରା କରିଥିଲା। ଭିଜୁଆଲ୍ ଓ ସମସ୍ତଙ୍କ ବୟାନକୁ ଆଧାର କରି ପ୍ରସ୍ତୁତ ହୋଇଛି ରିପୋର୍ଟ । ପ୍ରଥମେ ପରିଚାଳନା କମିଟି ଆଗରେ ରିପୋର୍ଟ ଉପସ୍ଥାପନ କରିବାକୁ ହୋଇଥିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି । ଦୋଷୀକୁ ଦଣ୍ଡ ମିଳୁ ବୋଲି କହିଛନ୍ତି ସେବାୟତ ।

ସେତେ ବେଳେ କୁହାଯାଇଥିଲା, ରଥରେ ଆବଶ୍ଯକଠାରୁ ଅଧିକ ସେବାୟତ ଥିଲେ । ବରିଷ୍ଠ ସେବାୟତମାନେ ନୂଆ ସେବାୟତଙ୍କ ଉପରେ ଦାୟିତ୍ଵ ଛାଡ଼ି ଦେବା ବି ଏକ କାରଣ ବୋଲି ଚର୍ଚ୍ଚା ହୋଇଥିଲା । ବଡ଼ ଠାକୁର ପଡ଼ିଯିବା ପରେ ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ମଝିରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ବଦଳାଇଥିଲେ ରାଜ୍ଯ ସରକାର । ବୀରବିକ୍ରମ ଯାଦବଙ୍କ ସ୍ଥାନାରେ ଅରିବନ୍ଦ ପାଢ଼ୀଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା ।