ଉତ୍କଳ ବିଶ୍ଵବିଦ୍ୟାଳୟରୁ ହଟିବେ ଭଡ଼ାଟିଆ ଓ ଜବରଦଖଲକାରୀ

ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ର ପରେ ସରକାରୀ କ୍ୱାର୍ଟରରୁ ହଟିବେ ଭଡ଼ାଟିଆ ଓ ଜବରଦଖଲକାରୀ। କ୍ୟାମ୍ପସରେ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ନିର୍ମାଣ ହୋଇଥିବା କ୍ୱାର୍ଟରଗୁଡିକ ଏବେ ଜବରଦଖଲକାରୀଙ୍କ କବଜାରେ। ବାଣୀ ବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର ରହିଛି। ୪୯୨ ଷ୍ଟାଫକୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ। ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି। ତା’ ଭିତରୁ ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ରହୁଥିଲେ। ତାଙ୍କୁ ଗତକାଲି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଚାଡିବା ପାଇଁ ନୋଟିସ ଦିଆଯାଇଥିଲା। ଅନେକ କ୍ୱାର୍ଟର ଖାଲି କରିଥିବାବେଳେ ଆଉ କିଛି ଖାଲି ହେଉଛି। କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି।ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ କେହି ଖାତିର କରୁନାହାନ୍ତି। ବିଦ୍ୟୁତ୍ ବିଲ୍ ବାବଦରେ ଗୋଟିଏ ବି ଟଙ୍କା ଦେଉ ନାହାନ୍ତି। ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି।ଏପରିକି ହିଟର୍ ବ୍ୟବହାର ହେଉଥିବା ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ବାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଛି। ଠିକ୍ ସମୟରେ ମରାମତି ହେଉ ନଥିବାରୁ ସେଥିରେ ରହିବାକୁ କର୍ମଚାରୀମାନେ ଭୟ କରୁଛନ୍ତି।। ପୋଲିସ କ୍ୟାମ୍ପସରେ ପହଞ୍ଚି ଅପରେସନ ଆରମ୍ଭ କରିଛି। ଖୁବଶୀଘ୍ର ସମସ୍ତ କ୍ୱାର୍ଟର କିଭଳି ଖାଲି ହେବ । ତା’ ଉପରେ ନଜର ରଖିଛନ୍ତି ୪ ପ୍ଲାଟୁନ ପୋଲିସ୍ ଫୋର୍ସ।