ଭୁବନେଶ୍ୱର: ତାଙ୍କ ହାତର ନିହାଣ ଚାଲିଲେ, ଓଡିଶାର ଇତିହାସ ଆଙ୍କି ହୋଇଯାଏ । ପଥର ବି ଜୀବନ୍ତ ହୁଏ । ପାଷାଣ ହୋଇ ପଡିଥିବା ପସ୍ତର ବି ଉତ୍କଳର ଅତୀତକୁ ଉଜ୍ଜିବୀତ କରେ । ସୀମାହୀନ ଲକ୍ଷ୍ୟକୁ ନେଇ ବଞ୍ଚୁଥିବା ମଣିଷଟି କଳା ପାଇଁ ଦିନେ ପରିବାର ଛାଡିବାକୁ ମଧ୍ୟ ପଛାଇନଥିଲେ । ହାତରେ ତିଆରି କରୁଥିବା ମୂର୍ତ୍ତୀ ଗୁଡିକୁ ରାସ୍ତା ଉପରେ ବିକ୍ରି କରୁଥିଲେ । ଆଉ ସେଦିନର ରଘୁ ନିଜ ପରିଚୟରେ ବନିଥିଲେ ଭାସ୍କର୍ଯ୍ୟ ଶିଳ୍ପୀ ।

୧୩ ଶହ ଖ୍ରୀଷ୍ଟାଦ୍ଧରେ ନରସିଂହ ଦେବ ନିର୍ମାଣ କରିଥିବା କୋଣାର୍କର ଆଉ  ଏକ ପରିକଳ୍ପନା କେବଳ ସେ ହିଁ କରିଥିଲେ । ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ୱ କେବଳ ଦେଖନଥିଲେ, ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ । ସତ୍ୟବାଦୀ ନିକଟରେ ୧୦ ଏକର ପରିମିତ ଜାଗାରେ କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ  ।  କିନ୍ତୁ ସେ ସ୍ୱପ୍ନ ଆଜି ଅଧା ଗଢା ହୋଇ ରହିଯାଇଛି । ରାତି ପାହିନି ହେଲେ ନିହାଣ ଖସି ଯାଇଛି । ଚୀର ନିଦ୍ରାରେ ଶୋଇଥିବା ଶିଳ୍ପୀ ଆଉ ନିହାଣ ଧରିବାକୁ ସକ୍ଷମ ହେଉ ନାହାଁନ୍ତି ।

ଗତ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ଆସେ । ପରେ ସେ ଅଧିକ ଅସୁସ୍ଥ ହୋଇ ପଡନ୍ତି । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାର ଲୋକଙ୍କ ସହ କଥା ହୁଅନ୍ତି । ଡାକ୍ତରଙ୍କ ସତ ଚେଷ୍ଟା ସ୍ୱତେ ଅଦୃଶ୍ୟ ମହାମାରୀ କବଳରୁ ଖସି ପାରନ୍ତି ନାହିଁ ସ୍ଥପତି । ଶେଷରେ ଆଜି ଅପରାହ୍ନ ୩.୪୯ ରେ ଆଖି ବୁଜନ୍ତି ପଦ୍ମଶ୍ରୀ,ପଦ୍ମଭୂଷଣ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାମାତ୍ର ।

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ମହାପାତ୍ରଙ୍କ ବିୟୋଗରେ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଶୋକବ୍ୟକ୍ତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ଦେଶ ଜଣେ ସୁନାମଧ୍ୟନ ଶିଳ୍ପୀଙ୍କୁ ହରାଇଥିବା ଉଲ୍ଲେଖ କରିଛନ୍ତି । ସେହିପରି ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମମନ୍ତ୍ରୀ । କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କର ପରିବାର ଓ ପ୍ରଂଶସକ ମାନଙ୍କ ପାଇଁ ମୋର ସମବେଦନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏବଂ ଅନ୍ୟାନ ନେତୃବୃନ୍ଦ ମଧ୍ୟ ଭାସ୍କର୍ଯ୍ୟ ଶିଳ୍ପୀ, ସ୍ଥପତି ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଶୋକବ୍ୟକ୍ତ କରିଛନ୍ତି ।

Leave a Reply