ବାଲେଶ୍ଵର ରେମୁଣା ତହସିଲଦାର ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍
![](https://nandighoshatv.com/wp-content/uploads/2025/02/Remuna-1024x576.jpg)
ରେମୁଣା: ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣାର ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ଆଜି ଭୋରରୁ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଗତ ୧୧ ତାରିଖରେ ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୩ଟି ଦାମୀ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ଵରରେ ୨ଟି ଫ୍ଲାଟ୍ ରହିଥିବା ବେଳେ ଗୋଟିଏ ଫ୍ଲାଟ୍ ବାଲେଶ୍ଵରରେ ରହିଛି । ଭୁବନେଶ୍ଵରରେ ଥିବା ୨ଟି ଫ୍ଲାଟର ମୂଲ୍ୟ ୨କୋଟି ୫୦ ଲକ୍ଷ ଟଙ୍କା ହେବ । ଏହା ସହିତ ୨ଟି ପ୍ଲଟ୍ ଠାବ ହୋଇଥିବା ବେଳେ ୯୩୭ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ହେବ । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ଅଛନ୍ତି । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।