ପୂର୍ତ୍ତ ବିଭାଗର ନୋଟିଫିକେସନକୁ ଚିରି ଡ୍ରେନରେ ଫିଙ୍ଗିଲେ ଇଞ୍ଜିନିୟର

ଭୁବନେଶ୍ୱର: ଅବସର ପରେ ପୁନଃନିଯୁକ୍ତ ନେଇ ପୂର୍ତ୍ତ ବିଭାଗର ନୋଟିଫିକେସନକୁ ଚିରି ଡ୍ରେନରେ ଫିଙ୍ଗିଲେ ଇଞ୍ଜିନିୟର । ପୂର୍ତ୍ତ ବିଭାଗ ନୁହେଁ ଧୂର୍ତ୍ତ ବିଭାଗ କହି ନିର୍ମାଣ ସୌଧ ଆଗରେ ଧାରଣାରେ ବସିଲେ ଇଞ୍ଜିନିୟର । ରାଜ୍ୟ ସରକାର ନୂଆ ଇଂଜିନିୟର ଛାତ୍ର ଛାତ୍ରୀଙ୍କୁ ଚାକିରି ନ ଦେଇ ଅବସରପ୍ରାପ୍ତ ଇଂଜିନିୟର କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେବା ପାଇଁ ନୋଟିଫିକେସନ ବାହାର କରିଛନ୍ତି। ଯେଉଁଥିରେ ୨୩୫ ଓ ୬୩୧ ପୋଷ୍ଟ ରହିଛି । ଏପରି ପୁନଃନିଯୁକ୍ତ ପ୍ରକ୍ରିୟାକୁ ବିରୋଧ କରି ପ୍ରତିବାଦ କରିଛି ଗ୍ରାଜୁଏଟ ଇଞ୍ଜିନିୟରିଂ ଛାତ୍ର କଲ୍ଯାଣ ସଂଘ। ଅବସରପ୍ରାପ୍ତ ଇଂଜିନିୟର କର୍ମଚାରୀଙ୍କୁ ପୁନଃ ନିଯୁକ୍ତରେ ଯୁବପିଢି ଆକ୍ରାନ୍ତ ହୋଇଛନ୍ତି । ଏବେ ରାଜ୍ୟରେ ହଜାର ହଜାର ବେକାର ଇଂଜିନିୟର ଘରେ ବସିଛନ୍ତି । ସେମାନଙ୍କୁ କାହିଁକି ନିଯୁକ୍ତି ନଦେଇ ଅବସରପ୍ରାପ୍ତ ଇଂଜିନିୟରଙ୍କୁ ନିଯୁକ୍ତି ଦେଉଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ଶିକ୍ଷିତ ଓ ମେଧାବୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର । ସରକାର ଏଥରୁ କ୍ଷାନ୍ତ ରୁହନ୍ତୁ। ନୋଟି ଫିକେସନକୁ ବାତିଲ କରନ୍ତୁ। ବିଜେପି ସରକାର ଅବସର ପରେ ପୁନଃନିଯୁକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି ଓ ନିଜେ କହିଥିବା କଥାର ଓଲଟା କାର୍ଯ୍ୟ କରୁଛନ୍ତି । ବେକାରୀ ସମସ୍ୟା ସରକାର ନିଜେ ବଢାଇବା ସହ ତେଲିଆ ମୁଣ୍ଡରେ କିପରି ତେଲ ମାରୁଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ସଂଘ । ନୋଟିଫିକେସନ ରଦ୍ଦ ନ କଲେ ବିଧାନସଭା ଘେରାଉ ପାଇଁ ସଂଘ ଚେତାବନୀ ଦେଇଛି।

ନଜର ପକାନ୍ତୁ