ପ୍ରିୟ ପୋଷାକରୁ କେମିତି ହଟାଇବେ ହୋଲି ରଙ୍ଗ ? ଆପଣାନ୍ତୁ ଏହି ଟିପ୍ସ

ନନ୍ଦିଘୋଷ ବ୍ୟୁରୋ: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତେ ବ୍ୟଗ୍ର  । ପରସ୍ପରକୁ ରଙ୍ଗ ଲଗାଇ ହୋଲି ସେଲିବ୍ରେଟ କରିବେ ଯୁବପିଢି ଠୁ ବୟସ୍କ । କିନ୍ତୁ ହୋଲି ଖେଳିବା ଆଳରେ ନଷ୍ଟ ହୋଇଥାଏ ଆମ ମହଙ୍ଗା କପଡା  । କେମିତି ଭଲ ପୋଷାକରୁ ଦାଗ ଛଡାଇବେ  । ଆପଣାନ୍ତୁ ଏହି ଟିପ୍ସ ଆଉ ପୋଷାକକୁ କରନ୍ତୁ ରଙ୍ଗମୁକ୍ତ  ।

ଭିଟାମିନ ସିରେ ଭରପୁର ଲେମ୍ବୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ବୃଦ୍ଧି କରିଥାଏ  । ସେହିପରି ଆପଣଙ୍କ ନିତିଦିନିଆ ଜୀବନରେ ଲେମ୍ବୁର ବ୍ୟବହାର ବହୁତ କିଛି ଫାଇଦା ଦିଏ  । ଯଦି ଆପଣଙ୍କ ପୋଷାକରେ ହୋଲି ରଙ୍ଗ ଲାଗିଯାଉଛି ତାହାଲେ ଚିନ୍ତା କରନ୍ତୁ ନାହିଁ  ।  ପ୍ରଥମେ ରଙ୍ଗ ଲାଗିଥିବା ପୋଷାକକୁ ପାଣିରେ ଧୋଇବା ପରେ ସର୍ଫରେ ଧୋଇ ନିଅନ୍ତୁ  । ଏହାପରେ ବାଲଟିରେ ଏକ ଚତୁର୍ଥାଂଶ ପାଣି ଭରି ନିଅନ୍ତୁ  । ଲେମ୍ବୁରସ ସହ ବେକିଂସୋଡା ମିଶ୍ରଣକୁ ବାଲଟିରେ ଗୋଳାଇ ଦିଅନ୍ତୁ  । ଏହାପରେ ୨୦ ମିନିଟ ପୋଷାକ ଭିଜାଇବା ପରେ ସଫା କରିଦିଅନ୍ତୁ  ।

ଆପଣ ଜାଣନ୍ତି କି ହୋଲି ରଙ୍ଗ ଛଡାଇବାକୁ ଆଲକହଲ ବି କାମରେ ଆସେ  । ପ୍ରଥମେ ପୋଷାକକୁ ହାଲକା ଉଷୁମ ପାଣିରେ ଧୋଇ ନିଅନ୍ତୁ  । ଏହାପରେ ଏକ ପାତ୍ରରେ ୨ ରୁ ୩ ଚାମଚ ଆଲକହଲ ନେଇ ଏଥିରେ ପାଣି ମିଶାଇ ଦିଅନ୍ତୁ  । ଏହି ତରଳ ପଦାର୍ଥକୁ ଦାଗ ଲାଗିଥିବା ସ୍ଥାନରେ ଲଗାଇ ରଗଡନ୍ତୁ  । କିଛି ସମୟ ଛାଡିଦେବା ପରେ ଧୋଇନିଅନ୍ତୁ  ।

ଅଧିକାଂଶଙ୍କ ରୋଷେଇ ଘରେ ଧଳା ଭିନେଗାର ମହଜୁଦ ଥାଏ  । ଏହା ବ୍ୟବହାର କରି ପୋଷାକରୁ ଦାଗ ଛଡାଇ ପାରିବେ  । ବାଲଟିରେ ଏକ ଚତୁର୍ଥାଂଶ ପାଣି ରଖି ଦୁଇରୁ ତିନି ବଡ ଚାମଚ ଭିନେଗାର ମିଶାନ୍ତୁ  । ଏଥିରେ ପୋଷାକକୁ ବୁଡାଇ କିଛି ସମୟ ଛାଡି ଦିଅନ୍ତୁ  । ଏବେ ପୋଷାକକୁ ହାତରେ ରଗଡି ସାଧା ପାଣିରେ ଧୋଇ ଦିଅନ୍ତୁ  ।

ଆପଣଙ୍କ ଟୁଥପେଷ୍ଟରେ ବି ହୋଲି ରଙ୍ଗ ଛଡାଇ ପାରିବେ  । ଯେଉଁ ସ୍ଥାନରେ ରଙ୍ଗ ଲାଗିଛି ସେଠାରେ ଟୁଥପେଷ୍ଟ ଲଗାଇ ୧୫ ମିନିଟ ଛାଡି ଦିଅନ୍ତୁ  । ଏବେ ପୋଷାକକୁ ରଗଡି ଧୋଇବାକୁ ଚେଷ୍ଟା କରନ୍ତୁ  । ଆପଣ ଦୁଇରୁ ତିନି ଥର ଏଭଳି କରି ଦାଗ ଛଡାଇ ପାରିବେ  ।