ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର
1 min readକଟକ: ସଂକ୍ରମଣ ସହ ତାଳ ଦେଇ ସବୁକିଛି ଖୋଲିଲାଣି । ମଲଠୁ ମେଟ୍ରୋ, ସପିଂ ମଲରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଲେଣି । କିନ୍ତୁ ୭ ମାସ ହେଲା ବନ୍ଦ ରହିଛି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ । ଏ ସମ୍ପର୍କିତ ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ ରାଜ୍ୟ ସରକାର ହାଇକୋର୍ଟରେ ନିଜର ପକ୍ଷ ରଖି ରଖିଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି- ସାରା ଦେଶର ମନ୍ଦିର ଓ ଉପାସନା ପୀଠ ଖୋଲିବା ନେଇ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ରହିଛି । ଏହି ଆବେଦନର ଶୁଣାଣି ଅକ୍ଟୋବର ୨୮ ତାରିଖରେ ହେବ । ଏଥିରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଛନ୍ତି । ତେଣୁ ଉକ୍ତ ଶୁଣାଣି ପରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉ । ଏହାକୁ ହାଇକୋର୍ଟ ଗ୍ରହଣ କରିଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି । କୋଭିଡ୍ ଆରମ୍ଭରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ । ତା’ପରେ ପରେ ଲାଗୁ ହୋଇଥିଲା ଲକଡାଉନ୍ । ସେବେଠାରୁ ପ୍ରାୟ ୭ ମାସ ହେଲାଣି ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ।
ଅନ୍ୟପଟେ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଖୋଲିଵା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳଙ୍କୁ ଚିଠି ଲେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆଲୋଚନା କରୁଛନ୍ତି । ଗତ ୯, ୧୨ ଓ ୧୩ ତାରିଖରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ୩ଟି ବୈଠକ ସରିଛି । ଆଜି ମଧ୍ୟ ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଇତାପତି ନିଯୋଗ, ସୁଦ୍ଧ ସୁଆର ନିଯୋଗ, ମୁଦୁଲି, ଘଟୁଆରୀ, ମହାସୁଆର ଓ ଚୁନରା ନିଯୋଗ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ କାର୍ତ୍ତିକ ମାସ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବାକୁ ବିଭିନ୍ନ ନିଯୋଗ ମତ ଦେଇଛନ୍ତି ।