ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କମ୍ପ୍ଳେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି । ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି ।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ୨ ସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି । ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହିତ କରାଯାଉଛି । କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା । ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ । ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ । ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ । ରିଲାଏନ୍ସ ସମ୍ପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି । ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି । ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି । ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି । କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି ।

Leave a Reply