ଲକ୍‌ଡାଉନ୍‌ ପ୍ରଭାବ: କର୍ମଚାରୀଙ୍କ ଦରମା କାଟିବ ରିଲାଏନ୍ସ…

1 min read
reliance-announces-salary-cuts-of-hydrocarbon-division-employees-and-board-members

କରୋନା ମାହାମାରୀ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କାରବାର ଉପରେ ପ୍ରଭାବ ପଡ଼ିଛି । ବିଶେଷକରି ରିଲାଏନ୍ସର ରିଫାଇନ୍‌ଡ ଓ ପେଟ୍ରୋକେମିକାଲ୍ସ ଦ୍ରବ୍ୟର ଚାହିଦା ହ୍ରାସ ଯୋଗୁଁ ହାଇଡ୍ରୋକାର୍ବନ କାରବାରରେ ପ୍ରଭାବ ଦେଖାଦେଇଛି ।

ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ହାଇଡ୍ରୋକାର୍ବନ୍ ବ୍ୟବସାୟ ସହ ଜଡିତ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ରିଲାଏନ୍ସର ହାଇଡ୍ରୋକାର୍ବନ୍ ବ୍ୟବସାୟରେ କାର୍ଯ୍ୟ କରୁଥିବା କର୍ମଚାରୀ, ଯାହାର ଦରମା ବାର୍ଷିକ ୧୫ ଲକ୍ଷରୁ ଅଧିକ ରହିଛି, ସେମାନଙ୍କର ୧୦ ପ୍ରତିଶତ ଦରମା କଟା ଯିବ ।

କମ୍ପାନୀ ଆହୁରି କହିଛି ଯେ, ଯେଉଁମାନଙ୍କର ଦରମା ବାର୍ଷିକ ୧୫ ଲକ୍ଷ ଟଙ୍କାରୁ କମ୍ ରହିଛି, ସେମାନଙ୍କ ଦରମାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଥି ସହିତ ରିଲାଏନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ନିର୍ଦ୍ଦେଶକଙ୍କ ଦରମା ୩୦-୫୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ, କାର୍ଯ୍ୟଦକ୍ଷତା ଭିତ୍ତିକ ବୋନସଗୁଡିକ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି ।

ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏମଡି ତଥା ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏକ ବର୍ଷର କମ୍ପେନ୍‌ସେସନ୍‌ ନେବେ ନାହିଁ । କମ୍ପାନୀ କହିଛି ଯେ ଲକ୍‌ଡାଉନ୍‌ ଯୋଗୁଁ ପେଟ୍ରୋଲିୟମର ଚାହିଦା ଯଥେଷ୍ଟ ହ୍ରାସ ପାଇଛି, ଯେଉଁ କାରଣରୁ ହାଇଡ୍ରୋକାର୍ବନ ବ୍ୟବସାୟର ରାଜସ୍ୱ ଯଥେଷ୍ଟ ହ୍ରାସ ପାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତଲ ଆର୍‌ ମେସୱାନୀ କମ୍ପାନୀର ଏହି ନିଷ୍ପତ୍ତି ସମ୍ପର୍କରେ କର୍ମଚାରୀମାନଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି । ଯେଉଁଥିରେ ଲାଭ ହ୍ରାସକୁ ଦୃଷ୍ଟିରେ ରଖି ଦରମା ହ୍ରାସର ଏହି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈ-ମାସିକ ରିପୋର୍ଟ ଗୁରୁବାର ପ୍ରକାଶ ପାଇବ । ଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ରାଇଟ୍ସ ଇସ୍ୟୁ ପ୍ରସଙ୍ଗକୁ ନେଇ ବିଚାର କରୁଛି । ଯାହା ଶୀଘ୍ର ଘୋଷଣା କରାଯାଇପାରେ |

Leave a Reply