ମାଡ୍ରାସ ହାଇକୋର୍ଟ: ସିବିଆଇ ଏକ ସ୍ୱୟଂଶାସିତ କର୍ତ୍ତୃପକ୍ଷ, ଏହାକୁ ‘ପଞ୍ଜୁରୀରୁ ମୁକ୍ତ କର’

1 min read

ନୂଆଦିଲ୍ଲୀ:  କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଏକ ସ୍ୱୟଂଶାସିତ କର୍ତ୍ତୃପକ୍ଷ । ଏହା କେବଳ ପାର୍ଲାମେଣ୍ଟ ନିକଟରେ ଉତ୍ତରଦାୟୀ । ଏହାକୁ ପଞ୍ଜୁରୀରୁ ମୁକ୍ତି କରିବା ଦରକାର ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ । ଏହି କେନ୍ଦ୍ରୀୟ ସଂଗଠନ ଉପରେ କାହାରି ନିୟନ୍ତ୍ରଣ ରହିବା ଅନୁଚିତ ବୋଲି କହିଛନ୍ତି କୋର୍ଟ ।

ସିବିଆଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ରାଜନୈତିକ ଅସ୍ତ୍ର ଭାବେ ପରିଚାଳିତ ହେଉଛି ବୋଲି ବିରୋଧୀଙ୍କ ଅଭିଯୋଗ କ୍ରମେ ହାଇକୋର୍ଟ କହିଛନ୍ତି- ସିବିଆଇକୁ ସ୍ୱୟଂଶାସିତ ହେବା ଦରକାର । ହିସାବ ମହାନୀରିକ୍ଷକ ବା ସିଏଜି ପରି ସିବିଆଇ ସଂସଦରେ ଉତ୍ତରଦାୟୀ ଦେବା ଜରୁରୀ । ୧୨ସୂତ୍ରୀ ନିର୍ଦ୍ଦେଶନାମା ଜାରି କରି କୋର୍ଟ କହିଛନ୍ତି- ପଞ୍ଜୁରୀରେ ରହିଥିବା ଶୁଆର ମୁକ୍ତି ଲାଗି ଏହି ରାୟ ଉଦ୍ଦିଷ୍ଟ ।

୨୦୧୩ ମସିହାରେ କୋଲଫିଲ୍ଡ ବଣ୍ଟନ ପ୍ରସଙ୍ଗରେ ସିବିଆଇକୁ ଏକ ପଞ୍ଜୁରିବଦ୍ଧ ଶୁଆ ବୋଲି ସୁପ୍ରିମକୋର୍ଟ କହିଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ଶାସନ କରୁଥିବାବେଳେ ବିଜେପି ଥିଲା ବିରୋଧୀ ଦଳ । ଏବେ କିଛି ବର୍ଷ ଧରି ବିଭିନ୍ନ ମାମଲାରେ ସିବିଆଇ ତଦନ୍ତ କରାଯାଉଥିବାବେଳେ ବିଜେପି ନିର୍ଦ୍ଦେଶରେ ସେସବୁ କରାଯାଉଛି ବୋଲି ଅଭିଯୋଗ ହେଉଛି । ଏପରିକି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବଦଳରେ ଏହାକୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରଣାଧୀନ ଷଡଯନ୍ତ୍ର ବ୍ୟୁରୋ ବୋଲି ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୧୯୪୧ରେ ପ୍ରତିଷ୍ଠିତ ସିବିଆଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ପର୍ସୋନେଲ ଓ ଟ୍ରେନିଂ ବିଭାଗ ଅଧୀନରେ ରହିଛି । ପ୍ରଧାନମନ୍ତ୍ରୀ, ସିଜେଆଇ ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ଏହାର ନିର୍ଦ୍ଦେଶକଙ୍କୁ ବାଛିଥାନ୍ତି । ତାମିଲନାଡୁର ଏକ ୩୦୦ କୋଟି ଟଙ୍କା ଦୁର୍ନୀତି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଭାରତର ନିର୍ବାଚନ ଆୟୋଗ ଓ ସିଏଜି ପରି ଏହା ସ୍ବାଧୀନ ରହିବା ଦରକାର ।

Leave a Reply