ବିବାହର ୧୫ ମାସରେ ସ୍ୱାମୀ ହୋଇଥିଲେ ସହିଦ, ଏବେ ସ୍ତ୍ରୀ ଭାରତୀୟ ସେନାରେ ଲେଫ୍ଟନାଣ୍ଟ

1 min read
Rekha Singh Wife Of Lance Naik Shahid Deepak Singh Become Lieutenant In Indian Army

ନୂଆଦିଲ୍ଲୀ: ଗଲୱାନ ଘାଟିରେ ସହିଦ ହୋଇଥିବା ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ଭାରତୀୟ ସେନାରେ ଅଫିସର ହୋଇଛନ୍ତି । ବୀର ଚକ୍ର ପୁରସ୍କାର ବିଜେତା ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ପଦରେ ଭର୍ତ୍ତି ହୋଇଛନ୍ତି । ଦୀପକ ସିଂହ ୨୦୨୦ ଜୁନ୍ ୧୫ରେ ଚୀନ ସୈନିକଙ୍କ ସହ ଲଢ଼ିବା ବେଳେ ଗଲୱାନ ଘାଟିରେ ସହିଦ ହୋଇଥିଲେ । ପତ୍ନୀ ରେଖା ସିଂହ ସ୍ୱାମୀ ସହିଦ ହେବା ପରେ ସେନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମେ ୨୮ରୁ ଆରମ୍ଭ କରିଥିଲେ ପ୍ରଶିକ୍ଷଣ ।

ସହିଦ ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଶିକ୍ଷକତା କରୁଥିଲେ । ସ୍ୱାମୀ ସହିଦ ହେବା ପରେ ଦେଶଭକ୍ତିରେ ଅନୁପ୍ରାଣିତ ରେଖା ଶିକ୍ଷକ ଚାକିରି ଛାଡ଼ି ସେନାରେ ଅଧିକାରୀ ହେବା ଲାଗି ମନ ବଳାଇଥିଲେ । ସ୍ୱାମୀଙ୍କ ରାସ୍ତାରେ ଅନୁପ୍ରାଣିତ ହୋଇ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ରେଖା ବିହାର ରେଜିମେଣ୍ଟ ୧୬ ବାଟାଲିୟନର ଦୀପକ ସିଂହଙ୍କୁ ବିବାହ କରିଥିଲେ । ବିବାହର ପ୍ରାୟ ୧୫ ମାସରେ ଦୀପକ ସହିଦ ହୋଇଥିଲେ ଦେଶ ପାଇଁ ।

ଏଥିରେ ଭାଙ୍ଗି ପଡ଼ିନଥିଲେ ରେଖା । ଶିକ୍ଷକତା ଛାଡ଼ି ସେନାରେ ଭର୍ତ୍ତି ହେବା ରେଖାଙ୍କ ପାଇଁ ସେତେଟା ସହଜ ନଥିଲା । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ସଫଳତା ଦେଇଛି । ପ୍ରଥମ ପ୍ରୟାସରେ ରେଖା ବିଫଳ ହୋଇଥିଲେ ମଧ୍ୟ ହାର୍ ମାନି ନଥିଲେ । ବରଂ ଆହୁରି କଠିନ ପରିଶ୍ରମ କରିଥିଲେ । ଆଉ ଏବେ ସେନାର ଲେଫ୍ଟନାଣ୍ଟ ।