ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ :  ଦିଲ୍ଲୀକୁ ମିଳିଲା ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ  । ଶାଲିମାର ବାଗର ବିଧାୟିକା ରେଖା ଗୁପ୍ତା ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ତାଙ୍କ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଯାଉଛନ୍ତି ।  ସେମାନେ ହେଲେ ପ୍ରବେଶ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, କପିଲ ମିଶ୍ରା, ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ଓ ପଙ୍କଜ କୁମାର ।

ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ, ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସୈନି, ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉତ୍ସବରେ ଯୋଗଦେବାକୁ ପହଞ୍ଚିଥିଲେ। ମଜାଦାର କଥା ହେଉଛି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ପ୍ରାୟ ଦଶ ବର୍ଷ ଧରି ଏବିଭିପିର ସଦସ୍ୟ ରହିବା ପରେ, ସେ ୨୦୦୨ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଏବଂ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଥିଲେ। ରେଖା ଗୁପ୍ତା ଜଣେ ଅଭିଜ୍ଞ କାଉନସିଲର ଥିଲେ। ସେ ଶାଲିମାର ବାଗରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ୨୯ ହଜାର ୫୯୫ ଭୋଟରେ ପରାସ୍ତ କରିଥିଲେ।