ଆକ୍ସନ ମୋଡରେ ମ୍ୟାଡାମ୍ ସିଏମ୍, ଶପଥ ପରେ ପରେ ଆସିଲା ରେଖା ଗୁପ୍ତାଙ୍କ ୫ଘଣ୍ଟାର ଆକ୍ସନ ପ୍ଲାନ୍

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ଶାଲିମାର ବାଗର ବିଧାୟିକା ରେଖା ଗୁପ୍ତା ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ଉପରାଜ୍ୟପାଳ ବିକେ ସକ୍ସେନା ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ପରେ ହିଁ ଆକ୍ସନ ମୋଡରେ ମ୍ୟାଡାମ୍ ସିଏମ୍ । ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ହିଁ ଦିଲ୍ଲୀ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ ।
ଶପଥ ନେବା ପରେ ପରେ ରେଖାଗୁପ୍ତା ଅପରାହ୍ନ ୩ଟାରେ ଦିଲ୍ଲୀ ସଚିବାଳୟ ପହଞ୍ଚିଛନ୍ତି । ସଚିବାଳୟରେ ପହଞ୍ଚି ନିଜ କାମ ଆରମ୍ଭ କରିଦେଇଛନ୍ତି ଦିଲ୍ଲୀ ସିଏମ୍ । ଅପରାହ୍ନ ୫ଟାରେ ସେ ଯମୁନା ବଜାର ନିକଟସ୍ଥ ବାସୁଦେବ ଘାଟ ଗସ୍ତ କରିବେ । ଏହା ପରେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ସଚିବାଳୟରେ ପ୍ରଥମ କ୍ୟାବିନେଟ୍ ବୈଠକ କରିବେ । ଆଜି ରେଖା ଗୁପ୍ତାଙ୍କ ସହ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ପ୍ରବେଶ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, କପିଲ ମିଶ୍ରା, ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ଓ ପଙ୍କଜ କୁମାର ମଧ୍ୟ ଶପଥ ନେଇଛନ୍ତି ।