କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ଭାବେ ଜିତି ହୋଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
1 min read
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଛି ମୋହର । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ତେବେ କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ହୋଇ ବି ହେବିଓ୍ବେଟଙ୍କୁ ପଛରେ ପକାଇ ଦିଲ୍ଲୀ ସିଂହାସନରେ ବସିବାକୁ ହେଲେ ସକ୍ଷମ, ଆସନ୍ତୁ ଜାଣିବା ।
ଦିଲ୍ଲୀ ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟିକା ଭାବେ ଜିତିଛନ୍ତି ରେଖା ଗୁପ୍ତା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଧାୟିକା ଭାବେ ପ୍ରଥମ ଥର ଜିତିଛନ୍ତି ରଖା । ତାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର କରିଛନ୍ତି ।
୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଅଧ୍ୟକ୍ଷା ବନିଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରୁ କର୍ପୋରେଟର ଭାବେ ଜିତିଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD)ର ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିଲେ ।
ପିଏମଙ୍କୁ ଦେଇଥିଲେ ବିଜୟର ଶ୍ରେୟ
ଶାଲିମାର ବାଗ ବିଧାନସଭା ଆସନରୁ ସେ ବିଧାୟିକା ଭାବେ ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଆପ ନେତାଙ୍କୁ ୨୯ ହଜାର ୫୯୫ ଖଣ୍ଡ ଭୋଟରେ ପରାସ୍ତା କରିଛନ୍ତି । ବିଜୟ ପରେ ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କ୍ଷମତା ଆଜି ତାଙ୍କୁ ବିଜୟ ଦେଇଛି, ଦିଲ୍ଲୀବାସୀ ଆମ ପାଖରୁ ବିକାଶର ଆଶା ରଖିଛନ୍ତି ବୋଲି କହିଥିଲେ ।
ରେଖାଙ୍କ ଉପଲବ୍ଧି
ନିଜ ରାଜନୈତିକ କ୍ୟାରିୟରରେ ରେଖା ମହିଳା କଲ୍ୟାଣ, ଶିକ୍ଷା ସୁଧାର ଓ ସମୂହିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେ ନିଜ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ ଓ କମ୍ୟୁନିଟି ହଲ ପରି ସୁବିଧା କରିଥିଲେ । ଏହାବାଦ ସେ ମହିଳା ଓ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ଏହାସହ କନ୍ୟଭୃଣ ହତ୍ୟା ଓ ଶିଶୁ ଶ୍ରମିକ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।