ଠିକା ସଫେଇ କର୍ମଚାରୀଙ୍କୁ ଦିଅ ସ୍ଥାୟୀ ନିଯୁକ୍ତି

ଭୁବନେଶ୍ବର: ପରିମଳ ସେବା କ୍ଷେତ୍ରରେ ସଫେଇ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ଦୀର୍ଘବର୍ଷ ହେବ ପରିମଳ କର୍ମଚାରୀମାନଙ୍କୁ ନିୟମିତ କାମରେ ଲଗାଯାଉଛି । ମାତ୍ର ସେମାନଙ୍କ ସାମାଜିକ ସୁରକ୍ଷା ଓ ଭବିଷ୍ୟତ ବନ୍ଧା ପଡ଼ିଛି । ସେମାନଙ୍କୁ ଚୁକ୍ତିଭିତ୍ତିକ ଭାବେ କାମରେ ଲଗାଯାଉଛି । କରୋନା ମହାମାରୀ ସମୟରେ ସଫେଇ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ସେବା କରିଥିଲେ । ସ୍ୱଚ୍ଛ ଭାରତ ମିଶନରେ ସଫେଇ କର୍ମଚାରୀ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇଛନ୍ତି । ମାତ୍ର ସରକାର ଆମମାନଙ୍କୁ ନିୟମିତ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଜି ସଫେଇ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସଫେଇ କର୍ମଚାରୀମାନେ ଦାବି ରଖିଛନ୍ତି, ସେମାନେ ଦୀର୍ଘବର୍ଷ ହେବ ପରିମଳ ସେବା କାମ କରି ଆସୁଛନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ତୃଣମୂଳସ୍ତରରେ ଆମେମାନେ ଗୁରୁତ୍ୱପୂର୍ଣର୍ ଭୂମିକା ତୁଲାଉଛନ୍ତି । ସବୁଠୁ ବଳି ବିଡମ୍ବନା, ସରକାର ସବୁ ବର୍ଗର ସ୍ୱାର୍ଥ ଓ ହକ ପ୍ରତି ଧ୍ୟାନ ଦେଇ ଆସୁଛନ୍ତି । ମାତ୍ର ଆମ ସଫେଇ କର୍ମଚାରୀଙ୍କ ପ୍ରତି ନିର୍ଦ୍ଦୟ ମନୋଭାବ ପୋଷଣ କରି ଆସୁଛନ୍ତି । ଆମମାନଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମରେ ଲଗାଇ ଶୋଷଣ କରାଯାଉଛି । ସମାନ କାମକୁ ମିଳୁନି ସମାନ ଦରମା । ଠିକାଦାରମାନେ ହିଁ ମାଲାମାଲ ହେଉଛନ୍ତି । ତେଣୁ ଏ ଠିକା ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କୁ ନିୟମିତ କରିବାକୁ ଆମେମାନେ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛୁ । ରାଜ୍ୟର ସବୁ ଜିଲ୍ଲାରେ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।
ରାଜ୍ୟର ସବୁ ଜିଲ୍ଲାରେ ଏମିତି ହଜାର ହଜାର ସଫେଇ କର୍ମଚାରୀ ହନ୍ତସନ୍ତ ହାେଇ ଜୀବନ କାଟୁଛନ୍ତି । ସଫେଇ କର୍ମଚାରୀମାନଙ୍କୁ ନିୟମିତ କରିବାକୁ ଆମେ ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଦାବି କରି ଆସୁଛୁ । ଆମ ସାମାଜିକ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଆମ ଦାବିକୁ ବିଚାର କରନ୍ତୁ । ଆମକୁ ଆମ ହକ୍ ପ୍ରଦାନରେ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ସହଯୋଗ କରିବେ ବୋଲି ଆଶା ଓ ବିଶ୍ୱାସ । ଯଦି ସରକାର ଏହାକୁ ଅଣଦେଖା କରନ୍ତି ତେବେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।