ଅଗ୍ନିପଥ ଯୋଜନା: ବାୟୁସେନା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

1 min read

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଆଧାରରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ଭାରତୀୟ ବାୟୁସେନା ପକ୍ଷରୁ ଆବେଦନ ପାଇଁ ଅଫିସିଆଲ ୱେବସାଇଟରେ ପଞ୍ଜିକରଣ ୱିଣ୍ଡୋ ଖୋଲାଯାଇଛି  । ଏହି https://agnipathvayu.cdac.in/AV/ ୱେବସାଇଟକୁ ଭିଜିଟ କରି ଆଶାୟୀମାନେ ଅଗ୍ନିବୀର ବାୟୁ ପାଇଁ ଆବେଦନ କରିପାରିବେ  । ଏନେଇ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି  । ଏମିତିକି ଅନେକ ସ୍ଥାନରେ ବିରୋଧ କରୁଥିବା ଯୁବକମାନେ ପୋଡ଼ାଜଳା କରିବା ସହ ହିଂସାକାଣ୍ଡ ଘଟାଇଛନ୍ତି  ।

Photo Source-PIB

ସୂଚନାଥାଉକି, ଅଗ୍ନିପଥ ଯୋଜନାର ଶୁଭାରମ୍ଭ ଜୁନ୍ ୧୪ ତାରିଖରେ ହୋଇଥିଲା  । ଯୋଜନାନୁଯାୟୀ, ୧୭ ରୁ ୨୧ ବର୍ଷ ବୟସର ଯୁବକମାନେ ଏହି ଯୋଜନା ଆଧାରରେ ନିଯୁକ୍ତି ପାଇବେ  । ଏମାନଙ୍କ କାର୍ଯ୍ୟକାଳର ସମୟ ୪ ବର୍ଷ ରହିବ  । ଯେତବେଳେ କି ମୋଟ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ରେଗୁଲାର ଚାକିରି ପାଇଁ ବଛାଯିବେ  । ତେବେ ଦେଶର ବିଭିନ୍ନ ସ୍ଥାନରେ ହିଁସାକାଣ୍ଡ ହେବା ପରେ ସରକାର ଗତ ୧୬ ତାରିଖରେ ସର୍ବୋଚ୍ଚ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରିଥିଲେ  । ଯେଉଁମାନେ ଅଗ୍ନିପଥ ଯୋଜନା ଆଧାରରେ ନିଯୁକ୍ତି ପାଇବେ ସେମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ  । ଅଗ୍ନିବୀରଙ୍କ ପ୍ରଥମ ବର୍ଷ ପାଇଁ ମାସିକ ଦରମା ୩୦ ହଜାର ଟଙ୍କା ରହିବ  । ୯ହଜାର ଟଙ୍କା ସରକାରଙ୍କ ମିଳିତ ସହାୟତାରେ କର୍ପସ ଫଣ୍ଡକୁ ଯିବ ଏବଂ ୨୧ ହଜାର ଟଙ୍କା ସିଧାସଳଖ ଅଗ୍ନିବୀରଙ୍କୁ ମିଳିବ  । ସେହିପରି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷ ପାଇଁ ମାସିକ ଦରମା ୩୩ ହଜାର, ୩୬ ହଜାର ଏବଂ ୪୦ ହଜାର ମିଳିବ  ।