କିଶୋରଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

1 min read

ଭୁବନେଶ୍ବର: ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । COWIN ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ OTP ଜରିଆରେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରୁଛନ୍ତି କିଶୋର । ଏହାପରେ ସେମାନେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ନେଇ ୩ ତାରିଖଠାରୁ ଟିକା ନେଇପାରିବେ । ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ପିଲା । ଯେତେ ପିଲା ଟିକା ନେବାକୁ ଆସିବେ, ସେମାନଙ୍କର ଟିକାକରଣ କରାଯିବ । ୨୦୦୫ରୁ ୨୦୦୭ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କ ଟକାକରଣ ପାଇଁ ଅଭିଭାବକମାନେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି ।

ଏବେ ରାଜ୍ୟରେ ୨ ହଜାର ୬୦୦ କେନ୍ଦ୍ରରେ ଚାଲିଛି ଟିକାକରଣ । ସେଥିରୁ କିଛି କିଶୋରମାନଙ୍କ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।  ଅନ୍ୟ କେନ୍ଦ୍ରଗୁଡ଼ିକାରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଶୋରଙ୍କୁ ଟିକା ଦିଆଯିବ । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭାକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭାକ୍ସିନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା COWIN ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟିକାକରଣ ପାଇଁ ପଞ୍ଜୀକରଣ କରିଛନ୍ତି ।

ଗତକାଲି ସୁଦ୍ଧା ମୋଟ୍‌ ୫ କୋଟି ଡୋଜ ଟିକାକରଣ କରି ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏହା ଏକ ବଡ଼ ସଫଳତା । ରାଜ୍ୟରେ ୧୮ ବର୍ଷରୁ ଅଧିକ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଲେଣି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୬୪ ପ୍ରତିଶତ ଲୋକ ଉଭୟ ଡୋଜ ଟିକା ନେଇ ସାରିଲେଣି । ସେପଟେ ଗଣଶିକ୍ଷା ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ୧୫ରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ମାଗିଛି ।

ସେପଟେ ବଢୁଥିବା ଓମିକ୍ରନ ସଂଖ୍ୟାକୁ ଦେଖି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଟିକା ହିଁ ସଂକ୍ରମଣରେ ରୋକ୍ ଲଗାଇପାରିବ । ସଂକ୍ରମଣ ଚେନ୍ ବ୍ରେକ୍ ଦେବାକୁ ହେଲେ ସମସ୍ତେ ଟିକା ନେବାକୁ ସେ ଅନୁରୋଧ କରିଛନ୍ତି ।

ସେ ଆହୁରି କହିଛନ୍ତି, ‘ରାଜ୍ୟରେ ସଂକ୍ରମଣ ବଢୁଛି । ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ତୀକ୍ଷ୍ଣ ନଜର ରଖିଛନ୍ତି ରାଜ୍ୟ ସରକାର । ପଜିଟିଭିଟି ମନିଟରିଂ କରାଯାଉଛି । ପ୍ରୋଟୋକଲ ଅନୁସାରେ ଆକ୍ସନ ନିଆଯାଉଛି । ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଥଣ୍ଡା ଓ କାଶ ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଆନ୍ତୁ । ଯେତିକି କରୋନା ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କ ସ୍ବାବ୍ ଜିନମ ସିକ୍ୟୁନସିଂ ପାଇଁ ପଠାଯିବ । ଏବେ ବିଦେଶ ଫେରନ୍ତାଙ୍କର ଏହା କରାଯାଉଛି।’

Leave a Reply