ଜୁଲାଇ ୧୫ରୁ ଆରମ୍ଭ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ

ଭୁବନେଶ୍ୱର : ଚଳିତ ଖରିଫରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଜୁଲାଇ ୧୫ରୁ ନାମ ପଞ୍ଜିକରଣ ଆରମ୍ଭ ହେବ। ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ଜାରି ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ଇଚ୍ଛୁକ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ। ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ। ଚାଷୀ ମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରିବାକୁ ପଡିବ।
ଯେଉଁ ଚାଷୀ ମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ବିକ୍ରି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ନିକଟବର୍ତ୍ତି ସୋସାଇଟିରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। କାରଣ ସୋସାଇଟିରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରିବା ବାଧ୍ୟତା ମୁଳକ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୁତ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଠାଯାଇଛ।
ସୂଚନା ମୁତାବକ, ସମସ୍ତ ୩୦ଟି ଯାକ ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିପାରିବେ । ଏଥିପାଇଁ ହେଲ୍ପ ଡେସ୍କ ସୁବିଧା ମଧ୍ୟ ରହିବ । ଏନେଇ ଆପତ୍ତି ଆସିଲେ ତୁରନ୍ତ ଶୁଣାଣି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିସହ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ତେବେ ପଞ୍ଜିକରଣ ପାଇଁ ଚାଷୀଙ୍କୁ ବିନାମୁଲ୍ୟରେ ଫର୍ମ ଯୋଗାଇ ଦିଆଯିବ ।