ରାଜ୍ୟସଭାରେ ଅସଲ ପରୀକ୍ଷା, ଆଞ୍ଚଳିକ ଦଳଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ

1 min read

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାସ୍ ହେବା ପରେ ଏବେ ରାଜ୍ୟସଭାକୁ ଆସିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବେ । ଲୋକସଭା ଭଳି ରାଜ୍ୟସଭାରେ ବିଲ୍ ପାସ କରାଇବାକୁ ରୀତିମତ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା । ସେପଟେ ବିଲ୍ ପାସ୍ କରାଇ ନଦେବାକୁ ସ୍ୱତନ୍ତ୍ର ରଣନୀତି କରୁଛନ୍ତି ବିରୋଧୀ ।


ଏହି ମର୍ମରେ ଗତକାଲି ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ ବିଜେଡିର ସଂସଦୀୟ ଦଳ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ନାଗରିକତା ସଂଶୋଧନ ବିଲକୁ ସମର୍ଥନ ନକରିବାକୁ ପ୍ରଶନ୍ନଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ନେତା । ଧର୍ମନିରପେକ୍ଷତାର କଥା କହିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗ ଉଠାଇଥିଲେ ଗୁଲାମନବୀ । ବିଜେଡି ଏହାକୁ ସମର୍ଥନ କରିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ । ତେବେ କଂଗ୍ରେସର ଏଭଳି ପ୍ରସ୍ତାବକୁ ସିଧା ସିଧା ମନାକରି ଦେଇଥିଲେ ପ୍ରଶନ୍ନ ଆଚାର୍ଯ୍ୟ । କହିଥିଲେ, ରାଷ୍ଟ୍ରୀୟ ସ୍ୱାର୍ଥ ହିତରେ ବିଜେଡି ତଥା ପାର୍ଟିର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ନିଷ୍ପତ୍ତି ନେଇଆସିଛନ୍ତି ।

ସେହି ନ୍ୟାୟରେ ବିଜେଡି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍-୨୦୧୯କୁ ସମର୍ଥନ କରିଛି । ତେଣୁ ଏବେ ଏହାକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧାସିଧା କରିବା ସହ କଂଗ୍ରେସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପଟେ ଓଡ଼ିଶାରେ ମଧ୍ୟ ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ସମାଲୋଚନା କରିଥିଲେ । ମାତ୍ର ବିଜେଡି ନିଜ ଷ୍ଟାଣ୍ଡରେ ଅଟଳ ରହିଛି । ଏ ଐତିହାସିକ ବିଲକୁ ସାମ୍ପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିକୋଣରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।


ସେପଟେ ବିଜେପିକୁ ବିଭିନ୍ନ ରାଷ୍ଟ୍ରୀୟ ପ୍ରସଙ୍ଗରେ ଏବଂ ବିଲ୍ ପାସ ବେଳେ ସମର୍ଥନ କରୁଥିବା ଟିଆରଏସ୍ ଏଥର ନିଜର ମତ ବଦଳାଇଛି । ରାଜ୍ୟସଭାରେ ଦଳ ସମର୍ଥନ ଦେବ ନାହିଁ ବୋଲି ସିଧା ସିଧା ଜଣାଇଦେଇଛି । ଚର୍ଚ୍ଚା ଅନୁସାରେ, ତେଲେଙ୍ଗାନାରେ ଥିବା ୨୦ ପ୍ରତିଶତ ମୁସଲିମ୍ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ଦଳ ଏଥର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ କଂଗ୍ରେସ ରାଜ୍ୟସଭାରେ ବିଲ୍ ଯେଭଳି ପାସ୍ ନହୁଏ ସେନେଇ ଅନ୍ୟ ଏନଡିଏ ସହଯୋଗୀ ଓ ରାଜନୀତିକ ଦଳ ସହ ଆଲୋଚନା ଜାରି ରଖିଛି ।

https://nandighoshatv.combjd-stands-with-citizen-amendment-bill/

ଗତକାଲି ଲୋକସଭାରେ ବିଲ୍ ଉପରେ ପ୍ରାୟ ୧୨ ଘଣ୍ଟା ଆଲୋଚନା ହେବା ପରେ ଏହା ପାସ୍ ହୋଇଥିଲା । ମଧ୍ୟରାତ୍ରିରେ ବିଲକୁ ଅନୁମୋଦନ ମିଳିଥିଲା । ବିଲ୍ ସପକ୍ଷରେ ୩୧୧ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୮୦ ଜଣ ସଦସ୍ୟ ବିରୋଧ କରିଥିଲେ । ଏବେ ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଲ୍ ପାସ୍ କରାଇବା ଦିଗରେ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି ।

Leave a Reply