ରେଢାଖୋଲରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି, ସଙ୍ଗୀନ ଅଭିଯୋଗ ଆଣିଲେ ଦଳୀୟ କର୍ମୀ

ସମ୍ବଲପୁର: ରେଢାଖୋଲରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏଭଳି ଅଭିଯୋଗ ଆଣି ବିଜେପିରୁ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି ଦଳୀୟ ପଦାଧିକାରୀ । ବିଜେପି କର୍ମୀମାନେ ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ, ରେଢାଖୋଲରେ ଦେବେନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ମାତ୍ର ଦେବେନ୍ଦ୍ର ନିଜେ ଦୁର୍ନୀତିରେ ବୁଡ଼ି ରହିଛନ୍ତି । ସେ ସାଂସଦଙ୍କ ପ୍ରତିନିଧି ଥିବା ସମୟରେ ସାଂସଦ ପାଣ୍ଠିରେ ହେରଫେର କରିଥିବା ଅଭିଯୋଗ ହୋଇଛି । ୩ଟି ପଞ୍ଚାୟତରେ କୋଟିଏରୁ ଅଧିକ ଟଙ୍କାର ଫଲ୍ସ ବିଲ୍ କରିଛନ୍ତି । ଏନେଇ ଦଳୀୟ ପଦାଧିକାରୀ ରାଜ୍ଯ ବିଜେପି ସଭାପତିଙ୍କୁ ଜଣାଇଥିଲେ ମଧ୍ଯ ସେ କୌଣସି ପଦକ୍ଷେପ ନେଲେନାହିଁ । ଓଲଟି ଦୁର୍ନୀତିଗ୍ରସ୍ତ ଦେବେନ୍ଦ୍ରଙ୍କୁ ବିଧାୟକ ଟିକେଟ୍ ପ୍ରଦାନ କରିଛନ୍ତି । ପ୍ରତିବାଦରେ ତୃଣମୂଳସ୍ତରର ଦଳୀୟ ନେତୃବୃନ୍ଦ ଇସ୍ତଫା ଦେଇଛନ୍ତି ।