ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍

1 min read

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ବର୍ତ୍ତମାନ ଏହା ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ମଧ୍ୟପ୍ରଦେଶ ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଦେଇ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ମୁହାଁ ହେବ  । ପ୍ରଭାବରେ  ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ଏଥିପାଇଁ ୧୦ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ରହିଛି ।

ସେହିପରି ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି । ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଫ୍ଲାସ ଫ୍ଲଡ୍ ସ୍ଥିତି ଉପୁଜିପାରେ । ରାସ୍ତା କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର ଭାଙ୍ଗିବା ଆଶଙ୍କା ରହିଛି । ତଳିଆ ଅଞ୍ଚଳ ଓ ସହର ମଧ୍ୟରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ଟ୍ରାଫିକ ସମସ୍ୟା ଉପୁଜିପାରେ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ପାଗରେ ପରିବର୍ତ୍ତନ ସହିତ ବର୍ଷା କମିପାରେ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।