ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍, ବନମାଳିପୁରରେ ଠାବ

ବାଲିପାଟଣା: ଲଙ୍କା ଟ୍ରକ୍ ଲୁଟ୍ । ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍ । ବାଲିପାଟଣା ଥାନା ବନମାଳିପୁରରେ ଠାବ । ଲଙ୍କା ବେପାରୀ ଏବଂ ମଧ୍ୟପ୍ରଦେଶ ପୋଲିସ୍ ବନମାଳିପୁରରେ ପହଁଞ୍ଚି ଚୋରୀ ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି । ଘଟଣାରେ ସଂପୃକ୍ତ ଟ୍ରକ୍ ଡ୍ରାଇଭର ଏବଂ ଲଙ୍କା କିଣିଥିବା ବ୍ୟକ୍ତିଙ୍କର ପତ୍ତା ମିଳିପାରିନାହଁ । ମଧ୍ଯପ୍ରଦେଶର ବିଡିଆନ୍ ଅଂଚଳର ଜଣେ ଲଙ୍କା ବ୍ୟବସାୟୀ ଉତ୍ତର ପ୍ରଦେଶର ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ ଲଙ୍କା ଟ୍ରକ୍‌ ପଠାଇଥିଲେ । ମାତ୍ର ଲଙ୍କା ଟ୍ରକଟି ନିର୍ଦ୍ଧାରିତ ସ୍ଥାନରେ ପହଁଞ୍ଚି ନଥିଲା ।

ଟ୍ରକରେ ଲଗା ଯାଇଥିବା ଜିପିଏସ୍ ଦ୍ଵାରା ଲଙ୍କା ଟ୍ରକ୍ ବାଲିପାଟଣା ଥାନା ବନମାଳିପୁର ବଜାରରେ ପହଁଞ୍ଚିଥିବା ଜଣାପଡ଼ିଥିଲା । ଡ୍ରାଇଭର କଲ ରେକର୍ଡରୁ ଡ୍ରାଇଭର ବନମାଳିପୁରର ଦିୱାନ ପାଟଣାଗ୍ରାମର ପ୍ରଶାନ୍ତ ସାହୁ ସହ ବାରମ୍ବାର ଯୋଗାଯୋଗରେ ଥିଲା । ଆଜି ସଂଧ୍ୟାରେ ପ୍ରଶାନ୍ତ ଗୋଦାମ ନିକଟରେ ଲଙ୍କା ବ୍ୟବସାୟୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍ ପହଁଞ୍ଚିବା ପରେ ସମସ୍ତ ଲୁଟ୍ ଲଙ୍କା ପ୍ରଶାନ୍ତ ଗୋଦାମରେ ରହିଥିବା ଜାଣିବାକୁ ପାଇଥିଲେ । ଏନେଇ ସଂପୃକ୍ତ ଲଙ୍କା ବେପାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରଶାନ୍ତ ଜଣେ ପେଷାଦାର ଠକ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ଅନେକ ମାମଲା ମଧ୍ୟ ରହିଛି ।