ଭୁବନେଶ୍ୱରରେ କରୋନାର ନୂଆ ଟ୍ରେଣ୍ଡ: ସୁସ୍ଥ ହେଉଛନ୍ତି ପୁଣି ସଂକ୍ରମିତ

1 min read

ଭୁବନେଶ୍ୱର: କରୋନାର ସେକେଣ୍ଡ ଆଟାକ  । ସୁସ୍ଥ ହେଲା ପରେ ବି ପୁଣି ଫେରୁଛି ସଂକ୍ରମଣ  । ଏପରି ଏକ ଖୁଲାସା ଭୁବନେଶ୍ୱର ମହାନଗର ନିଗମ ଏବଂ ଆର୍‌ଏମ୍‌ଆର୍‌ସିର ନିଦ ହଜାଇ ଦେଇଛି  । ରାଜଧାନୀରେ କାହିଁକି ସଂକ୍ରମଣ ବଢୁଛି, ତା’ର କାରଣ ଖୋଜିବାକୁ ଯାଇ ଏପରି ଦୁଇଟି କେସ ଧରିବା ପରେ ବଢିଯାଇଛି ପ୍ରଶାସନର ଚିନ୍ତା । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏନେଇ ଅଧିକ ଅନୁଧ୍ୟାନ କରୁଛି ଆର୍‌ଏମ୍ଆର୍‌ସି । ସେପଟେ ସଂକ୍ରମଣକୁ ରୋକିବା ପାଇଁ ଯେ କୌଣସି ବ୍ୟକ୍ତି ଟେଷ୍ଟ କରିବା ପରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

 କାହିଁକି ରାଜଧାନୀରେ ବଢୁଛି ସଂକ୍ରମଣ ? କାରଣ ଖୋଜିଲାବେଳେ ପଦାକୁ ଆସିଛି ଆଚମ୍ବିତ କଲା ଭଳି ତଥ୍ୟ  । ଯାହା ସମସ୍ତଙ୍କ ନିଦ ହଜାଇ ଦେଇଛି  । ଭୁବନେଶ୍ୱରରେ ଗତ କିଛି ଦିନ ହେଲା ଦୈନିକ ୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାର କାରଣ ଜାଣିବାକୁ ଉଦ୍ୟମ କରିଥିଲା ଆରଏମଆରସି ଓ ବିଏମସି । ପୂର୍ବରୁ ଯଦିଓ କୁହାଯାଉଥିଲା ଆରୋଗ୍ୟ ଲାଭ ପରେ ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ଏଣୁ ପୁନଃ ଆକ୍ରାନ୍ତ ହେବାର ଆଶଙ୍କା କମ୍ । କିନ୍ତୁ ଭୁବନେଶ୍ୱରରେ ଦୁଇଟି ଘଟଣାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ପୁଣି ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏଭଳି ତଥ୍ୟ ଜଣାପଡିବା ପରେ ଆରଏମ୍ଆରସି ଅଧିକ ଅନୁଧ୍ୟାନ କରୁଛି  ।

ସେପଟେ ନମୁନା ସଂଗ୍ରହ ଓ ରିପୋର୍ଟ ଆସିବା ମଧ୍ୟରେ ରହୁଛି ଦୀର୍ଘ ସମୟର ବ୍ୟବଧାନ । ଏହି ସମୟରେ ଲୋକେ ସଙ୍ଗରୋଧ ନିୟମ ନମାନି ଏଣେତେଣେ ବୁଲୁଛନ୍ତି । ଯାହା ସଂକ୍ରମଣ ବୃଦ୍ଧିର ଅନ୍ୟଏକ କାରଣ । ଏଣୁ ଟେଷ୍ଟ କରିବା ସମୟ ଠାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି ।

ଅପରପକ୍ଷେ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଆସିବାରେ ଯଦିଓ କିଛି ବିଳମ୍ବ ଘଟୁଛି ତଥାପି ଆଣ୍ଟିଜେନ୍ ଟେଷ୍ଟର ଲିଖିତ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର । ଭୁବନେଶ୍ୱରରେ ଯଦିଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ଆଶ୍ୱସ୍ତିର ବିଷୟ ମାତ୍ର ଶତକଡା ୧୦ ପ୍ରତିଶତ ଲୋକଙ୍କ ନିକଟରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ଅର୍ଥାତ୍ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ।

Leave a Reply