ଛତିଶଗଡ଼ କାଙ୍କର ଲୋକସଭା ଆସନର ୪ଟି ବୁଥରେ ହେବ ପୁନଃଗଣତି

ଛତିଶଗଡ଼: ନିର୍ବାଚନ ସରିଥିବା ବେଳେ କିଛି ସ୍ଥାନରେ ହାରଜିତକୁ ନେଇ କିଛି ପ୍ରାର୍ଥୀ ସନ୍ତୁଷ୍ଟ ନାହାନ୍ତି । ଏଥିପାଇଁ ସେମାନେ ପୁନଃଗଣତି ଆବେଦନ କରିଛନ୍ତି । ଏହି କ୍ରମରେ ଛତିଶଗଡ଼ର କାଙ୍କର ଲୋକସଭା ଆସନରେ କେତେକ ପୋଲିଂ ଷ୍ଟେସନରେ ହେବ ପୁନଃଗଣତି । ଏନେଇ ହୋଇଥିବା ଏକ ପିଟିସନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ ।

ସାଞ୍ଜେରୀ ବାଲୋଡ, ଗୁନ୍ଦେରଦେହି ଓ ସିହାୱାର ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରିଟି ପୋଲିଂ ଷ୍ଟେସନରେ ବ୍ଯାପକ ଇଭିଏମ ଟ୍ଯାମ୍ପରିଂ ହୋଇଥିବା ନେଇ କଂଗ୍ରେସ ପ୍ରାର୍ଥୀ ବୀରେଶ ଠାକୁର ଆବେଦନ କରିଥିଲେ । ଏହି ଆସନରେ ବିଜେପି ପ୍ରାର୍ଥୀ ଭୋଜରାଜ ନାଗଙ୍କଠାରୁ ମାତ୍ର ୧୮୮୪ ଭୋଟରେ ପରାସ୍ତ ହୋଇଥିଲେ ବୀରେଶ ।

ଏହାକୁ ନେଇ ଇଭିଏମର ମେମୋରୀ ଓ ମାଇକ୍ରୋ କଣ୍ଟ୍ରୋଲର ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ ବୀରେଶ । ନିର୍ବାଚନସ୍ତରୀୟ ସ୍ବଚ୍ଛତା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ପ୍ରକାରେ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ସାଞ୍ଜାରୀ ବାଲୋଡର ଦୁଇଟି ବୁଥ, ଗୁନ୍ଦେରଦେହିର ଓ ସିହାୱାର ଗୋଟିଏ ଲେଖାଏଁ ବୁଥରେ ଭୋଟ ପୁନଃଗଣତି ହେବ ।