ଜଣେ ଭାରତୀୟଙ୍କ ସମେତ ୧୦୦ ଜଣଙ୍କୁ ଫାଶୀ ଦେଲା ସାଉଦି ଆରବ
1 min readନନ୍ଦିଘୋଷ ବ୍ୟୁରୋ: ଫାଶୀ ଏକ ଦଣ୍ଡ ଯାହା କେବଳ ଗୁରୁତର ଅପରାଧ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ଯେତେବେଳେ କି ଅନେକ ଦେଶରେ ଫାଶୀ ଲଗାଇବାକୁ ବାରଣ ମଧ୍ୟ କରାଯାଇଛି । କିନ୍ତୁ ନିକଟରେ ଏମିତି ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ସାଉଦି ଆରବ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ଫାଶୀ ଦେଇଛି । ତେବେ ନିକଟରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ଜଣେ ୟେମେନୀ ନାଗରିକଙ୍କୁ ସାଉଦି ଆରବ ଫାଶୀ ଦେଇଥିଲା । ଯାହା ବର୍ତ୍ତମାନ ସାଉଦି ଆରବରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ବିଦେଶୀଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି। ୨୦୨୩ ଏବଂ ୨୦୨୪ରେ ୩୪ଜଣ ବିଦେଶୀ ନାଗରିକଙ୍କୁ ଫାଶୀ ଦିଆଯାଇଥିବା ବେଳେ ୨୦୨୪ରେ ଏହା ୧୦୦ ଅତିକ୍ରମ କରିଛି ।
ସମସ୍ତ ରେକର୍ଡ ଭାଙ୍ଗିଲା, ସର୍ବାଧିକ ସ୍ତରରେ ପହଞ୍ଚିଲା ଫାଶୀ
ବର୍ଲିନ୍ ସ୍ଥିତ ୟୁରୋପୀୟ-ସାଉଦି ସଂଗଠନ ଫର ହ୍ୟୁମାନ୍ ରାଇଟ୍ସ (ESOHR) ର ଆଇନ ନିର୍ଦ୍ଦେଶକ ତାହା ଅଲ-ହାଜି କହିଛନ୍ତି ଯେ ସାଉଦି ଆରବ ଚଳିତବର୍ଷ ବିଦେଶୀ ନାଗରିକଙ୍କୁ ଫାଶୀଦଣ୍ଡ ଦେବାରେ ରେକର୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ ୩୦ବର୍ଷ ମଧ୍ୟରେ କେବେ ବି ସାଉଦି ଆରବ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦେଇ ନାହିଁ। ଏଥି ସହିତ ସାଉଦି ଆରବର ବିଦେଶୀ ନାଗରିକଙ୍କୁ ଫାଶୀ ଦେବା ପରେ ମାନବ ଅଧିକାର ଗୋଷ୍ଠୀ ସାଉଦି ଆରବକୁ ସମାଲୋଚନା କରିଛି। ଗୋଷ୍ଠୀ କହିଛି, ସାଉଦି ଆରବ ନିଜର ପାଓ୍ବାର ବ୍ୟବହାର କରି ଲୋକଙ୍କୁ ଅଧିକ ନିର୍ଯାତନା ଦେଉଛି।
କେଉଁ ଦେଶର ନାଗରିକଙ୍କୁ ଫାଶୀ ଦିଆଯାଇଛି ?
ଏମନେଷ୍ଟି ଇଣ୍ଟରନ୍ୟାସନାଲ୍ର ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୩ମସିହାରେ ସାଉଦି ଆରବ ଚୀନ୍ ଏବଂ ଇରାନ ପରେ ତୃତୀୟ ବୃହତ୍ତମ ଦେଶ ଭାବେ ସର୍ବାଧିକ କଏଦୀଙ୍କୁ ଫାଶୀ ଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ସାଉଦି ଆରବ ୩୦ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇଛି । ୧୯୯୫ମସିହାରେ, ସାଉଦି ୧୯୨ ଜଣଙ୍କୁ ଫାଶୀ ଦେଇଥିଲା ।
ଏଥି ସହିତ, ଚଳିତବର୍ଷ ପର୍ଯ୍ୟନ୍ତ, ସାଉଦି ଆରବ ୨୭୪ ଜଣଙ୍କୁ ଫାଶୀ ଦେଇଛି। ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ପାକିସ୍ତାନରୁ ୨୧ଜଣ, ୟେମେନରୁ ୨୦ଜଣ, ସିରିଆରୁ ୧୪ଜଣ, ନାଇଜେରିଆରୁ ୧୦ଜଣ, ଇଜିପ୍ଟରୁ ୯ଜଣ, ଜୋର୍ଡାନରୁ ୮ଜଣ ଏବଂ ଇଥିଓପିଆରୁ ୭ ଜଣ ଏବଂ ଭାରତ, ସୁଦାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଇରିଟ୍ରିଆ ଏବଂ ଫିଲିପାଇନ୍ସ ର ଜଣ ଜଣ ନାଗରିକଙ୍କୁ ଫାଶୀଦଣ୍ଡ ଦେଇଛି ।