ଗତକାଲି ରାତିରେ ଫଡନବୀସଙ୍କୁ ଭେଟିଛନ୍ତି ଏକନାଥ ସିନ୍ଦେ: ସୂତ୍ର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି  । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି  । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗତକାଲି ରାତିରେ ଭେଟିଛନ୍ତି  । ବଡୋଦରାରେ କାଲି ରାତିରେ ହୋଇଥିବା ଏହି ଭେଟଘାଟରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା  ।

ଏହି ଭେଟଘାଟ ଏପରି ସମୟରେ ହୋଇଛି ଯେତବେଳେ ଉଦ୍ଧବ ଏକନାଥଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଅବଶ୍ୟ ଉଦ୍ଧବଙ୍କ ପାଖରେ ବିଧାୟକଙ୍କ ସଂଖ୍ୟା କମ୍ ଅଛି କିନ୍ତୁ ଦଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାରେ ସଫଳ ହେଉଛନ୍ତି  । ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ବସିଥିଲା  । ଯେଉଁଥିରେ ଉଦ୍ଧବଙ୍କୁ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଦିଆଯାଇଛି  । ଏହା ବ୍ୟତୀତ ତାଙ୍କ ନେତୃତ୍ୱ ଉପରେ ଦଳର ପଦାଧିକାରୀ ବିଶ୍ବାସ ପ୍ରକଟ କରିଛନ୍ତି  ।

ଖବର ମୁତାବକ, ଏକନାଥ ସିନ୍ଦେ ସ୍ୱତନ୍ତ୍ର ବିମାନ ଜରିଆରେ ବଡୋଦରା ଯାଇ ଫଡନବୀସଙ୍କୁ ଭେଟିଥିଲେ  । ତେବେ ସବୁଠୁ ବଡ କଥା ହେଉଛି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗତକାଲି ବଡୋଦରାରେ ଉପସ୍ଥିତ ଥିଲେ  । ବୈଠକରେ ସାମିଲ ହୋଇଛନ୍ତି କି ନାହିଁ ସେ ବିଷୟରେ କୌଣସି ତଥ୍ୟ ମିଳିନାହିଁ  । ସୂଚନାଯୋଗ୍ୟ, ବିଦ୍ରୋହୀ ଏକନାଥ ସିନ୍ଦେ କିଛି ଦିନ ପୂର୍ବେ କହିଥିଲେ, ଆମେ ଏକ ରାଷ୍ଟ୍ରୀୟ ଦଳ ସହ ସମ୍ପର୍କରେ ଅଛୁ  । କିନ୍ତୁ ପରେ ପୁଣିଥରେ ଏହି ବୟାନ ବଦଳାଇଥିଲେ  । ପୁଣି ଏବେ ବିଜେପି ସହ ମେଣ୍ଟ ଖବର ସାମ୍ନାକୁ ଆସିଛି  । ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସହ ଗୌହ୍ୱାଟିର ଏକ ହୋଟେଲରେ ଅଛନ୍ତି ସିନ୍ଦେ  ।