ଶିନ୍ଦେଙ୍କ ବଡ଼ ବୟାନ; ଆମ ସହ ଅଛନ୍ତି ୫୦ ବିଧାୟକ, ଖୁବଶୀଘ୍ର ମୁମ୍ବାଇ ଫେରିବୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଜାରି ରହିଛି  । ଗତକାଲି ଦିନ ତମାମ ମଧ୍ୟ ନାଟକ ଚାଲିଥିଲା  । ଗୋଟିଏ ପଟେ ସୁପ୍ରିମକୋର୍ଟରୁ ବିଦ୍ରୋହୀଙ୍କୁ ଆଶ୍ୱସ୍ତି ମିଳିଥିଲା ଏବଂ ଅନ୍ୟପକ୍ଷରେ ଠାକରେ ବିଦ୍ରୋହୀ ବିଧାୟକଙ୍କଠାରୁ ମନ୍ତ୍ରୀପଦ ଛଡାଇ ନେଇଥିଲେ  । ସେପଟେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଣ୍ଟ୍ରି ମଧ୍ୟ ହୋଇଥିଲା  । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମଙ୍ଗଳବାର ହାଜର ହେବା ପାଇଁ ସମନ କରିଥିଲା  । ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି  । ଆଜି ଗୌହ୍ୱାଟି ହୋଟେଲରେ ଥିବା ଶିବସେନା ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନ୍ଦେ ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି  । ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଶିବସେନା ଛାଡିନୁ, ଏବେବି ଅଛୁ  । ଆମେ ହିନ୍ଦୁତ୍ୱ ପ୍ରସଙ୍ଗ ଆଗକୁ ନେଇ ଯାଉଛୁ  । ଖୁବଶୀଘ୍ର ବିଦ୍ରୋହୀ ବିଧାୟକଙ୍କ ସହ ମୁମ୍ବାଇ ଫେରିବେ ବୋଲି କହିଛନ୍ତି  । ଏହି ସମୟରେ ପୁଣିଥରେ ସେ ଦାବି କରିଛନ୍ତି ମୋ ସମର୍ଥନରେ ୫୦ ବିଧାୟକ ଅଛନ୍ତି । ଶିନ୍ଦେଙ୍କ ବୟାନରୁ ଆଶଙ୍କା କରାଯାଉଛି ଯେ ସେ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି କରିବେ  ।

ଏପଟେ ବିଜେପି ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ମଧ୍ୟ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଚାଟାର୍ଡ ପ୍ଲେନ ଜରିଆରେ ଦିଲ୍ଲୀରେ ପହଞ୍ଚିଛନ୍ତି  । କୁହାଯାଉଛି ଯେ, ସେ ସରକାର ଗଠନ କରିବାର ସମ୍ଭାବନା ଉପରେ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ  । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଶିବସେନା ବିଦ୍ରୋହୀ ଗୋଷ୍ଠୀ ନେତା ଏକନାଥ ସିନ୍ଦେ ମଧ୍ୟ ଆଜି ଦିଲ୍ଲୀ ଯାଇପାରନ୍ତି  । ପୂର୍ବରୁ ଖବର ଆସିଥିଲା, ଶିନ୍ଦେ ଗୋଷ୍ଠୀ ଏବଂ ବିଜେପି ମଧ୍ୟରେ ସରକାର ଗଠନ ଉପରେ ଚର୍ଚ୍ଚା ହେବାର  । ବିଜେପି ଶିନ୍ଦେ ଗୋଷ୍ଠୀଙ୍କୁ ୮ କ୍ୟାବିନେଟ ଏବଂ ୫ ରାଜ୍ୟମନ୍ତ୍ରୀ ଦେବାକୁ ଅଫର କରିଛି  । ଉପ ମୁଖ୍ୟମନ୍ତ୍ରୀ ପାଇଁ ଏକନାଥ ଶିନ୍ଦେଙ୍କ ନାଁ ରଖାଯାଇଛି  ।

ଶିନ୍ଦେ ମୁମ୍ବାଇ ଆସିବା କଥା କହିବା ପରେ ଉଦ୍ଧବ ଠାକରେ ଇମୋସନାଲ କାର୍ଡ ଖେଳିଛନ୍ତି  । ସେ ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ଗତ କିଛିଦିନ ହେବ ଗୌହ୍ୱାଟିରେ ଫଶି ରହିଛନ୍ତି  । ଆପଣଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ସୂଚନା ମିଳୁଛି, ଆପଣମାନଙ୍କ ମଧ୍ୟରୁ ଅନେକ ଏବେବି ମୋ ସହ ସମ୍ପର୍କରେ ଅଛନ୍ତି  । ଆପଣମାନେ ଏବେ ବି ହୃଦୟରୁ ଶିବସେନାରେ ଅଛନ୍ତି  । ଆପଣମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କ ପରିବାରର ସଦସ୍ୟ ମଧ୍ୟ ମୋତେ ସମ୍ପର୍କ କରିଛନ୍ତି ଏବଂ ମୋତେ ନିଜ ଭାବନା ସହ ଅବଗତ କରାଇଛନ୍ତି  । ଶିବସେନା ପରିବାରର ମୁଖ୍ୟ ଭାବରେ ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଦେଉଛି  । ଭ୍ରମରୁ ବାହାରି ଆସନ୍ତୁ, ଏହାର ଏକ ନିଶ୍ଚିତ ରାସ୍ତା ରହିଥିବ, ଆମେ ବସିବା ଏକା ସାଙ୍ଗରେ ଏବଂ ଏହାଠି ବାହାରକୁ ବାହାରିବାର ରାସ୍ତା ଖୋଜିବା  ।