spot_img

Latest Posts

ସାତ ମାସ ପରେ ଖୋଲିଥିଲା ଗୁଜୁରାଟର ଐତିହ୍ୟ ପୋଲ, କାହିଁକି ଭୁଶୁଡିଲା କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାନ୍ଧୀନଗର: କାଳ ସାଜିଲା ଐତିହ୍ୟ ପୋଲ। ଏକଦା ୟୁରୋପୀୟ କାରିଗରୀର ନମୁନାକୁ ବିଶ୍ବରେ ଚର୍ଚ୍ଚିତ କରିଥିବା ପୋଲର ଇତିହାସ ଶେଷରେ ମର୍ମନ୍ତୁଦ ଦୁର୍ଘଟଣାରେ ଶେଷ ହୋଇଛି । ଗୁଜୁରାଟର ମୋର୍ବିସ୍ଥିତ ମଚ୍ଛୁ ନଦୀରେ ନିର୍ମିତ ଐତିହାସିକ ଝୁଲାପୋଲ ପ୍ରାୟ ୭ମାସ ବନ୍ଦ ରହିବା ପରେ ସର୍ବସାଧାରଣଙ୍କ ଲାଗି ଖୋଲାଯାଇଥିଲା। ଖୋଲା ଯିବାର ମାତ୍ର ୫ ଦିନ ପରେ ଏହା ଖସି ପଡ଼ିଥିଲା ।

ଏକ ପ୍ରାଇଭେଟ ଫାର୍ମ ଦ୍ବାରା ଏହାର ମରାମତି ହୋଇଥିବା ବେଳେ ପୋଲର ବ୍ୟବହାର ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମଗାଯାଇ ନଥିଲା । ପୋଲର ବ୍ୟବହାର ଓ ରକ୍ଷଣାବେକ୍ଷଣ ଲାଗି ଓରେବା କମ୍ପାନିକୁ ୧୫ବର୍ଷ ପାଇଁ ଅନୁମତି ମିଳିଥିଲା। ଗତ ମାର୍ଚ୍ଚ ମାସରେ ଏହାକୁ ମରାମତି ଲାଗି ବନ୍ଦ କରିଦିଆଯାଇଥିଲା। ଅକ୍ଟୋବର ୨୬ରେ ଗୁଜୁରାଟୀ ନବବର୍ଷ ଉପଲକ୍ଷେ ପୋଲ ଖୋଲାଯାଇଥିଲା।

ତେବେ ପୋଲର ବ୍ୟବହାର ନେଇ ପୌର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନିଆଯାଇ ନଥିଲା ବୋଲି କହିଛନ୍ତି ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପସିଂ ଜାଲା। ରାଜଧାନୀ ଗାନ୍ଧୀନଗର ଠାରୁ ୨୪୦କିଲୋମିଟର ଦୂରରେ ଅବସ୍ଥିତ ମୋର୍ବି ସହର ନିକଟରେ ପ୍ରବାହିତ ମଚ୍ଛୁ ନଦୀରେ ଏହି ପୋଲି ନିର୍ମିତ ହୋଇଥିଲା । ତତକାଳୀନ ବିଜ୍ଞାନର ଉତ୍କର୍ଷତା ଥିଲା ଏହି ପୋଲ ।

1922 ଯାଏ ମୋର୍ବିକୁ ଶାସନ କରିଥିବା ସାର୍ ଓ୍ବାଗଜି ଠାକୁର ଦର୍ବାଗଡ଼ ପ୍ୟାଲେସ ସହ ନଜରବାଗ ପ୍ୟାଲେସକୁ ଯୋଡିବା ଲାଗି ଏହି ଝୁଲାପୋଲ ନିର୍ମାଣ କରିଥିଲେ । ସେହି ସମୟରେ ଏହି ପୋଲର ଆକର୍ଷଣ, କାରିଗରି ବିଶ୍ବରେ ଚର୍ଚ୍ଚାର କାରଣ ହୋଇଥିଲା । ପୋଲର ଓସାର ମାତ୍ର 1 ଦଶମିକ 25 ମିଟର ଓ ଲମ୍ବ 233 ମିଟର । ସେହି ସମୟରେ ୟୁରୋପରେ ଏହି କାରିଗରି ବ୍ୟବହୃତ ହେଉଥିବାବେଳେ ମୋର୍ବିରେ ଏପରି ଏକ ବ୍ରିଜ ନିର୍ମାଣ ଲାଗି ଚାହିଁଥିଲେ ସାର୍ ଓ୍ବାଗଜି ଠାକୁର ।

ବର୍ଷ ବର୍ଷ ଧରି ଏହା ରାଜ୍ୟର ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହୋଇଆସୁଥିଲା । ଶତାଧିକ ବର୍ଷର ପୋଲକୁ ହଜାର ହଜାର ପର୍ଯ୍ୟଟକ ବ୍ୟବହାର କରୁଥିଲେ ବି ଗୁଜୁରାଟ ସରକାର ଥିଲେ ବେଖାତିର । ଏହି ମର୍ମନ୍ତୁଦ ଘଟଣାରେ ନିଜ ଉପରକୁ ଦୋଷ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ବ୍ରିଜେଶ ମେର୍ଜା କହିଛନ୍ତି ଗତ ସପ୍ତାହରେ ଏହାର ମରାମତି କାର୍ଯ୍ୟ ଶେଷ ହୋଇଥିଲା । ଏଭଳି ଘଟଣାରେ ସରକାର ଗଭୀର ଦୁଃଖିତ । ସେପଟେ ପୋଲ ଧସିବାର କାରଣ ବି ଜଣାପଡିଛି । ପୋଲ ଉପରେ ଶତାଧିକ ଲୋକେ ଥିବା ସତ୍ତ୍ବେ କିଛି ଲୋକ ଜାଣିଶୁଣି ପୋଲକୁ ହଲାଇଥିଲେ ।

ଝୁଲନ୍ତା ପୋଲର ମଜା ନେବା ଲାଗି ସେମାନେ ପୋଲକୁ ମନଇଚ୍ଛା ଦୋହଲାଇବାରୁ ତାହା ସମ୍ଭାଳି ପାରି ନଥିଲା । ନିଜ ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

Latest Posts

Don't Miss