ଖାଦ୍ୟ କାହିଁକି ହୋଇଯାଏ ବିଷାକ୍ତ ?

ଫୁଡ୍‌ ପଏଜନ । ଏ ଶବ୍ଦ ସହିତ ସମସ୍ତେ ଜଡ଼ିତ । ଅନେକ ଥର ଟିଭିରେ ଦେଖିଥିବେ କିମ୍ବା ଖବର କାଗଜରେ ପଢ଼ିଥିବେ ବା ଘର ଆଖପାଖରେ ଘଟିଥିବା ଏଭଳି କିଛି ଘଟଣା ଆପଣଙ୍କ ନଜରକୁ ଆସିଥିବ । କିନ୍ତୁ ଏହା ମଧ୍ୟ ଶୁଣିଥିବେଯେ, ବିଷାକ୍ତ ଖାଦ୍ୟ ଖାଇ କିଛି ଲୋକଙ୍କ ଜୀବନ ଯାଇଛି ।  କେବେ କେବେ ରହି ଯାଇଥିବା ଖାଦ୍ୟ ଆପେ ଆପେ ବିଷାକ୍ତ ହୋଇଯାଏ, ଯାହା ଜୀବନ ମଧ୍ୟ ନେଇପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ପଟେ ଖାଦ୍ୟ ବଞ୍ଚିବାର ଏକମାତ୍ର ସାହାରା ହୋଇଥିବାବେଳେ ଆଉ କେବେ ପାଲଟିଯାଏ ବିଷ । କିନ୍ତୁ ଖାଦ୍ୟ କିଭଳି ବିଷାକ୍ତ ହୁଏ ?

ବାସ୍ତବରେ ଫୁଡ ପଏଜନିଂ ଖାଦ୍ୟରେ ଥିବା ଅଶୁଦ୍ଧତା ଯୋଗୁଁ ହୋଇଥାଏ । କେବେ କେବେ ଖାଦ୍ୟର କମ୍ବିନେସନ୍‌ ତ କେବେ କେବେ ରହି ଯାଇଥିବା ଖାଦ୍ୟ ଖାଇଲେ ଫୁଡ ପଏଜନିଂ ହୋଇଥାଏ ।

ତେବେ ଅସ୍ୱଚ୍ଛ ପାଣି ଏବଂ ଧୁଆ ଯାଇନଥିବା ଫଳ ଏବଂ ପନିପରିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ।

ଅଧିକ ସମୟ ଖାଦ୍ୟକୁ ନ ଘୋଡ଼ାଇ ବାହାରେ ରଖିବା ଦ୍ୱାରା ସେଥିରେ ମାଛି ଆଦି ବସି ଖାଦ୍ୟକୁ ନଷ୍ଟ କରିଦିଅନ୍ତି । ଯାହା ଫୁଡ ପଏଜନ କରାଇଥାଏ । ଏହାଦ୍ୱାରା ଶରୀରକୁ ଯାଇଥିବା ଜୀବାଣୁ  ପେଟ ମଧ୍ୟରେ ବିଷ ସୃଷ୍ଟି କରନ୍ତି ।

କେବଳ ସେତିକି ନୁହେଁ କଞ୍ଚା ବା ଅଧା ସିଝା ଖାଦ୍ୟ ମଧ୍ୟ ଫୁଡ ପଏଜନର କାରଣ ହୋଇପାରେ ।

ଲକ୍ଷଣ କ’ଣ ?

ଫୁଡ ପଏଜନ ଦ୍ୱାରା ବିଭିନ୍ନ ଲକ୍ଷଣ ଦେଖାଯାଏ । ଯେପରିକି ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ମୁଣ୍ଡ ବିନ୍ଧିବା, ଅଣନିଶ୍ୱାସୀ ଅନୁଭବ କରିବା ଏବଂ କ୍ଲାନ୍ତ ଲାଗିବା  । ଖାଲି ସେତିକି ନୁହେଁ ତଣ୍ଟି ଶୁଖିଯିବା ଭଳି ମନେ ହେବା । କେବେ କେବେ ସ୍ଥିତି ଏତେ ଗମ୍ଭୀର ହୋଇଯାଏଯେ, ଜୀବନ ମଧ୍ୟ ଯାଇପାରେ ।

ତେବେ ବଜାରୁ ଫଳ ଏବଂ ପନିବରିବା କିଣି ଆଣିବା ପରେ  ପୋଟାସିୟମ ପରମାଙ୍ଗାନେଟରେ ଭଲ ଭାବରେ ଧୋଇ ଦିଅନ୍ତୁ । ପ୍ୟାକ୍‌ ହୋଇଥିବା ଖାଦ୍ୟ ଏବଂ ପ୍ରୋସେସ୍ଡ ଫୁଡ ଉପରେ ଏକ୍ସପାଏରୀ ତାରିଖ ଦେଖି ଖାଆନ୍ତୁ । ଯଦି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ଯାଉଛନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।