ଦିଲ୍ଲୀ ସରକାରଙ୍କୁ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ଦେଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ । ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି।

କେନ୍ଦ୍ରର ଦଖଲରେ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି । ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି । ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ଏବେ  ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀର ଅସଲ ବସ୍ ।

ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର । ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିାରପତିଙ୍କ ଖଣ୍ଡପୀଠ କହିଛନ୍ତି ।

ସବୁ ପ୍ରସଙ୍ଗରେ କେନ୍ଦ୍ରର ଦଖଲ ଯୋଗୁ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି । ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ହେବ । ହେଲେ ପୋଲିସ, ସରକାରୀ ନିର୍ଦ୍ଦେଶନାମା ଓ ଜମି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ । ୨୦୨୧ରେ କେନ୍ଦ୍ର ସରକାର GNCTD ଆକ୍ଟରେ ସଂଶୋଧନ କରିଥିଲେ । ଏଥିରେ ଉପରାଜ୍ୟପାଳଙ୍କୁ ଅତିରିକ୍ତ ଅଧିକାର ମିଳିଥିଲା । ସଂଶୋଧନ ମୁତାବକ, ନିର୍ବାଚିତ ସରକାର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହେଲେ ଦିଲ୍ଲୀ ଉପରାଜ୍ୟପାଳଙ୍କ ମତ ନେବା ନିହାତି ଆବଶ୍ୟକ । ଏହି ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଆମ ଆଦମୀ ପାର୍ଟି ।