ଜର୍ମାନୀର ରିୟଲ ଲାଇଫର ଗଜନୀ, ପ୍ରତି ୬ ଘଣ୍ଟାରେ ଭୁଲି ଯାଉଛନ୍ତି ପୁରୁଣା କଥା

ବର୍ଲିନ: ପ୍ରାୟ ସମସ୍ତେ ଗଜନୀ ଚଳଚ୍ଚିତ୍ର ଦେଖିଥିବେ । ଚଳଚ୍ଚିତ୍ରରେ ଅଭିନେତା ଆମିର ଖାଁ ସର୍ଟ ଟର୍ମ ମେମୋରି ଲସ ରୋଗରେ ପୀଡିତ ଥିଲେ । ମାତ୍ର ବାସ୍ତବ ଜୀବନରେ ଏପରି ଜଣେ ରୋଗୀଙ୍କ ସନ୍ଧାନ ମିଳିଛି । ଯିଏ ୬ ଘଣ୍ଟାରେ ଥରେ ଭୁଲି ଯାଉଛନ୍ତି ଅତୀତ । ଉକ୍ତ ବ୍ୟକ୍ତି ହେଉଛନ୍ତି ଜର୍ମାନୀର ଡାନିଏଲ ସ୍କିମଡ । ଆମିର ଖାଙ୍କ ସ୍ମରଣଶକ୍ତି ଅନିର୍ଦ୍ଦିଷ୍ଟ କାଳ ଯାଏ ଲୋପ ହୋଇଯାଉଥିଲା । ମାତ୍ର ଡାନିଏଲଙ୍କ ସ୍ମରଣ ଶକ୍ତି ପ୍ରତି ୬ ଘଣ୍ଟାରେ ଚାଲିଯାଉଛି ।

୬ ବର୍ଷ ତଳେ ଡାନିଏଲ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ  ହୋଇଥିଲେ । ଏକ ଟ୍ରାଫିକରେ ସେ ଅଟକି ଥିବାବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା । ସେତେବେଳେ କାରର ବେଗ ଥିଲା ଘଣ୍ଟାପ୍ରତି ୧୨୮ କିଲୋମିଟର । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ଦୀର୍ଘଦିନ ପରେ ସୁସ୍ଥ ହେଲେ । ମାତ୍ର ତାଙ୍କର ସ୍ମରଣଶକ୍ତି ନଷ୍ଟ ହୋଇଯାଇଥିଲା ।

ଏପରିକି ସେ ନିଜର ଗର୍ଲଫ୍ରେଣ୍ଡକୁ ଭୁଲିଯାଇଥିଲେ । ପରେ ତାଙ୍କର ମିଳନ ଘଟିଥିଲା । ଦୀର୍ଘଦିନ ଧରି ଫିଜିଓଥେରାପି ଓ ସ୍ପିଚ ଥେରାପି ପରେ ତାଙ୍କ ଅବସ୍ଥା ସୁଧୁରିଥିଲା । ତେବେ ଆଶ୍ଚର୍ଯ୍ୟ କଥା ହେଲା ଯେ ସେ ପ୍ରତି ୬ ଘଣ୍ଟାରେ ନିଜର ସ୍ମରଣଶକ୍ତି ହରାଇ ବସୁଛନ୍ତି । ତେଣୁ ଯେଉଁ ସମୟତକ ସେ ସ୍ବାଭାବିକ ଅବସ୍ଥାରେ ରହୁଛନ୍ତି ସେ ସମସ୍ତ ବିଷୟ ଟିପାଖାତାରେ ଲେଖୁଛନ୍ତି । ପରେ ତାହାକୁ ଭିତ୍ତି କରି କାର୍ଯ୍ୟ କରିଥାନ୍ତି ।

Leave a Reply