ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ, ଯାହାପାଖରେ ବହୁମତ ଥିବ ସେ ସରକାର ଗଢ଼ିବ: ଶରଦ ପୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ପ୍ରତି ଘଣ୍ଟାରେ ନୂଆ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳୁଛି  । ଗୋଟିଏ ପଟେ ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ସହ ଏକନାଥ ସିନ୍ଦେ ଗୌହ୍ବାଟିର ଏକ ହୋଟେଲରେ ରହିଛନ୍ତି  । ସେଇଠୁ ହିଁ ସେ ଶକ୍ତି ପ୍ରଦର୍ଶନ କରିବା ସହ ଗୋଟି ଚାଳନା କରୁଛନ୍ତି  । ସୂତ୍ରରୁ ପ୍ରକାଶ ସେ ଖୁବଶୀଘ୍ର ସମର୍ଥକଙ୍କୁ ନେଇ  ଅନ୍ୟ ଏକ ଦଳ ସହ ମିଶି ବହୁମତ ସାବ୍ୟସ୍ତ କରି ସରକାର ଗଢିବାକୁ ଯୋଜନା କରୁଛନ୍ତି  । ଅନ୍ୟପକ୍ଷରେ ଅସହାୟ ହୋଇ ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭଗବାନ ଭରସାରେ ସବୁକିଛି ଛାଡି ଦେଇଛନ୍ତି  । ସେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ପାଇଁ ଦ୍ବାର ଖୋଲା ଅଛି ସେମାନେ ଯେତବେଳେ ଚାହିଁବେ ଆସିପାରିବେ  ।

ମହାରାଷ୍ଟ୍ର ସରକାରର ଅନ୍ୟ ଦୁଇ ମେଣ୍ଟ ଦଳ କଂଗ୍ରେସ ଓ ଏନସିପି ସ୍ଥିତି ସମାଧାନ ପାଇଁ ଶିବସେନା ଉପରେ ସବୁ ଛାଡି ଦେଇଛନ୍ତି  । ଶିବସେନା ଯାହା ନିଷ୍ପତ୍ତି ନେବ ସେଥିରେ ସେମାନେ ସମ୍ମତି ପ୍ରକାଶ କରିବେ ବୋଲି କହିଛନ୍ତି  । ଏହାରି ମଧ୍ୟରେ ବରିଷ୍ଠ ନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବଡ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି ଆମେ ରାଜନୈତିକ ସଙ୍କଟର ସାମ୍ନା କରିବୁ ଏବଂ ଲଢିବୁ  । ଏବେ ବିଧାନସଭାରେ ଫ୍ଲୋର ଟେଷ୍ଟରୁ ନିର୍ଣ୍ଣୟ ହୋଇଯିବ କାହା ପାଖରେ ବହୁମତ ଅଛି ଏବଂ ସେ ହିଁ ସରକାର ଗଢିବ  ।