ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ମାମଲା, ପକ୍ଷ ରଖିଲା ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ୍

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ମାଧ୍ୟମରେ ଚିତ୍ର ଉତ୍ତୋଳନ କରିବା ଘଟଣା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରଲ ଘଟଣାକୁ ନେଇ ସିଂହଦ୍ୱାର ପୋଲିସ ପକ୍ଷରୁ ଗତକାଲି ଏକ ମାମଲା ରୁଜୁ କରାଯାଇଥିଲା । ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ ବିରୋଧରେ ଆଇପିସିର ଦଫା ୨୯୫ (କ), ଐତିହ୍ୟ କୀର୍ତ୍ତିରାଜି ଆଇନ ଦଫା ୩୦, ଶ୍ରୀମନ୍ଦିର ୧୯୫୪ ଆଇନ ଦଫା ୩୦(କ), ୪(ଗ), ଆଇଟି ଆକ୍ଟ ୨୦୦୦ ର ଦଫା-୬୦ ରେ ଅନୁସନ୍ଧାନ ଆରମ୍ଭ କରିଛି । ଡ୍ରୋନ ଉଡ଼ାଇ ଚିତ୍ର ଉତ୍ତୋଳନ କରିଥିବା ଘଟଣା ସଂକ୍ରାନ୍ତରେ ସର୍ବ ପ୍ରଥମେ ନନ୍ଦିଘୋଷ ଟିଭି ପକ୍ଷରୁ ଖବର ପ୍ରସାରିତ ହୋଇଥିଲା । ପୁରୀର ବୁଦ୍ଧିଜୀବୀ ହେକ୍ଟର ମିଶ୍ର ଏନେଇ ଥାନାରେ ଅଭିଯୋଗ ଦାଖଲ କରିଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରୀମନ୍ଦିରକୁ ନୋ-ଫ୍ଲାଇଙ୍ଗ ଜୋନ ଘୋଷଣା କରିବାକୁ ପୁନର୍ବାର ଦାବୀ ଉପସ୍ଥାପନା କରିଛନ୍ତି ।

drone camera at puri

ଘଟଣା ସମ୍ପର୍କରେ ଜଣା ପଡିବା ପରେ ସମ୍ପୃକ୍ତ ସଂସ୍ଥା ଏନେଇ ମେଲ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରଦାନ କରିଛି । ସେମାନେ କୌଣସି ବେଆଇନ କାର୍ଯ୍ୟ କରିନଥିବା କହିଛନ୍ତି  । ଏପରିକି ସଂପୃକ୍ତ ସଂସ୍ଥା ଡ୍ରୋନ ମାଧ୍ୟମରେ ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କରିଥିବା ମାନିଥିବା ବେଳେ ମେଘନାଦ ପ୍ରାଚୀର ବାହାରୁ ଏଭଳି ଚିତ୍ରଉତ୍ତୋଳନ କରିଥିବା ମତ ରଖିଛନ୍ତି । ଡ୍ରୋନ ଦ୍ୱାରା ଭାରତରେ ସୁଟିଂ କରିବାରେ କୌଣସି କଟକଣା ନଥିବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି  । ଏଭଳି ପ୍ରତିକ୍ରିୟା ପରେ ପୁରୀର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ଯେ, ସମ୍ପୃକ୍ତ ସଂସ୍ଥା ଭାରତୀୟ ଆଇନ  ଅନୁସାରେ ଡ୍ରୋନ ଉଡାଇବା ନେଇ ଅନୁମତି ନେଇଥିଲା କି ?  ଡିଜିସିଏର ଗାଇଡ ଲାଇନ ଅନୁସାରେ ଡ୍ରୋନ ଉଡାଇବା ନେଇ ଅନୁମତିର ଆବଶ୍ୟକତା ଥିବା ବେଳେ ସେଭଳି ହୋଇନଥିଲା କାହିଁକି ? ଏପରିକି ଚାରିଶହ ଫୁଟରୁ ଅଧିକ ଉଚ୍ଚତାରେ ଡ୍ରୋନ ଉଡାଇବାକୁ ମନା କରାଯାଇଛି ।

ଏତଦ ବ୍ୟତୀତ ନିୟମ ଅନୁସାରେ କ୍ୟାମେରା ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇବାକୁ ମନା କରାଯାଇଛି । ଡ୍ରୋନ ଉଡାଇବା ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନ ଠାରୁ ଅନୁମତି ନେବାର ଆବଶ୍ୟକ ଥିଲା । ଏଭଳି ଅନେକ କଟକଣା ଭାରତୀୟ ଆଇନରେ ଥିବା ବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏନେଇ ପୁରୀର ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଭାରତୀୟ ଆଇନକୁ ଉଲଂଘନ କରିଥିବା  ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହ ସମ୍ବେଦନଶୀଳ ଭିଡ଼ିଓକୁ ତୁରନ୍ତ ହଟାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

')}

Leave a Reply

Your email address will not be published.