ସାଂସଦ ପଦ ରଦ୍ଦ ପରେ ପ୍ରତିକ୍ରିୟା ରଖିଲେ ମହୁଆ, କହିଲେ..

1 min read

ନୂଆଦିଲ୍ଲୀ: ଲୋକସଭାରୁ ଟିଏମସି ସାଂସଦ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ଲାଗି ଟଙ୍କା ମାମଲାରେ ଏଥିକ୍ସ କମିଟି ସୁପାରିସ ଆଧାରରେ ତାଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପତି । ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଉପରେ  ବର୍ଷିଛନ୍ତି ମହୁଆ । ସେ କହିଛନ୍ତି- ସେ ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟରେ ଥିଲେ । ସବୁ ନିୟମ ଭାଙ୍ଗିଛି ଏଥିକ୍ସ କମିଟି । ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସତ୍ତ୍ବେ ଏହି ପଦକ୍ଷେପ ନିଆଯାଇଛି । ଏପରିକି ଗୃହରେ କହିବାକୁ ତାଙ୍କୁ କୌଣସି ସୁଯୋଗ ଦିଆଯାଇନଥିବା ସେ କହିଛନ୍ତି । ଏହାସହ କହିଛନ୍ତି କି, ପ୍ରତିମାସରେ ମୋତେ ହଇରାଣ କରାଯିବ । ମୋ ଘରକୁ ସିବିଆଇ ପଠାଯିବ । ମୋତେ ଜାଣିଶୁଣି ପସାଯିବାକୁ ଚେଷ୍ଟା କରାଯିବ। ସେପଟେ ସାଂସଦ ପଦରୁ ବହିଷ୍କୃତ ହେବା ନିଷ୍ପତ୍ତି ବିରୋଧରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିରୋଧୀ ।

ସୂଚନା ଥାଉକି, ପ୍ରଶ୍ନ ଲାଗି ଟଙ୍କା ମାମଲାରେ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ଏହି ଅଭିଯୋଗ କ୍ରମେ ତାଙ୍କ ସାଂସଦ ସଦସ୍ୟତା ରଦ୍ଦ କରିବା ଲାଗି ଏଥିକ୍ସ ରିପୋର୍ଟ ସୁପାରିସ କରିଥିଲା । ଶୁକ୍ରବାର ରିପୋର୍ଟ ଉପସ୍ଥାପନକୁ କେନ୍ଦ୍ର କରି ସଂସଦରେ ସରକାରଙ୍କ ବିରୋଧରେ ବିରୋଧୀ ସାଂସଦମାନେ ନାରାବାଜି କରିଥିଲେ । ଫଳରେ ଗୃହକାର୍ଯ୍ୟ ମୁଲତବୀ ରଖାଯାଇଥିଲା । ପୂର୍ବରୁ ମହୁଆ ମହାଭାରତକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ବର୍ଷିଥିଲେ । ତେଣେ ଏଥିକ୍ସ କମିଟି ରିପୋର୍ଟର ବ୍ୟାପକ ତର୍ଜମା କରିବାକୁ ଦାବି କରିଥିଲେ ବିଏସପି ସାଂସଦ । ନରେନ୍ଦ୍ର ମୋଦି ସରକାରଙ୍କୁ ହରଡ଼ଘଣାରେ ପକାଇବା ଲାଗି ପ୍ରଶ୍ନ କରିବା ସକାଶେ ମହୁଆ ୨ କୋଟି ଟଙ୍କା ନେଇଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ରହିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି ମହୁଆ ।

ଏହା ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ନିଜର ପାର୍ଲାମେଣ୍ଟାରୀ ଓ୍ବେବସାଇଟର ଲଗ-ଇନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଟଙ୍କା ମହୁଆଙ୍କୁ ଦର୍ଶନ ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ସଂସଦର ପ୍ରଶ୍ନକାଳ ପୂର୍ବରୁ ପ୍ରଶ୍ନଗୁଡିକୁ ସିଧାସଳଖ ସବମିଟ କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେଉଥିଲା । ସିଧାସଳଖ ପ୍ରଶ୍ନ ସବମିଟ କରିବା ସଂକ୍ରାନ୍ତ ଅଭିଯୋଗକୁ ମହୁଆ ସ୍ବୀକାର କରିଥିଲେ ଏବଂ ଏହା ଅନେକ ସାଂସଦଙ୍କ ଲାଗି ସାଧାରଣ କଥା ବୋଲି କହିଥିଲେ ମହୁଆ । ଏହି ଅଭିଯୋଗର ତଦନ୍ତ କରିବା ଲାଗି ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ନିକଟକୁ ଚିଠି ଲେଖିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଅଭିଯୋଗ ପରେ ଅଥିକ୍ସ କମିଟି ଗତମାସରେ ୬-୪ ନିଷ୍ପତ୍ତିରେ ମହୁଆଙ୍କୁ ବହିଷ୍କାର କରିବା ଲାଗି ସୁପାରିସ କରିଥିଲା ।