WPL ଚାମ୍ପିୟନ ହେଲା ବାଙ୍ଗାଲୋର

1 min read

ନନ୍ଦିଘୋଷ ବ୍ୟୁରୋ: ନୂଆଦିଲ୍ଲୀରେ ବାଙ୍ଗାଲୋର ରାଜ୍ । ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ । ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପ୍ରଥମେ ଟସ୍ ଜିତି ବ୍ଯାଟିଂ କରିଥିଲା ଦିଲ୍ଲୀ କ୍ଯାପିଟାଲ୍ସ । ୧୮ ଦଶମିକ ୩ ଓଭରରେ ଦଳ ୧୧୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଆରମ୍ଭରୁ କ୍ଯାପଟେନ୍ ଲାନିଙ୍ଗ ଓ ଶେଫାଳୀ ବର୍ମା ଭଲ ଆରମ୍ଭ କରିଥିଲେ । ୭ ଓଭରରେ ଦଳୀୟ ସ୍କୋର ୬୪ ଥିବାବେଳେ ୨୭ ବଲରେ ୪୪ ରନ କରି ଆଉଟ୍ ହୋଇଥିଲେ ଶେଫାଳୀ । ଏହାପରେ କ୍ରମାଗତଭାବେ ଦଳ ୱିକେଟ୍ ହରାଇଥିଲା । ସେହି ୬୪ ରନରେ ହିଁ ୩ ୱିକେଟ ହରାଇ ଦିଲ୍ଲୀର ପ୍ରାରମ୍ଭିକ ବ୍ଯାଟିଂ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଶ୍ରେୟଙ୍କା ପାଟିଲ ୪ ୱିକେଟ ନେଇ ଦିଲ୍ଲୀକୁ ଦୁର୍ବଳ କରିଦେଇଥିଲେ । ମୋଲିନେକ୍ସ ୩ଟି ଓ ଆଶା ଶୋଭନା ୨ଟି ୱିକେଟ ନେଇଥିଲେ । ଦିଲ୍ଲୀ ତରଫରୁ ଶେଫାଳୀ ସର୍ବାଧିକ ୪୪ ରନ କରିଥିବାବେଳେ ଲାନିଙ୍ଗ ୨୩ ରନ କରିଥିଲେ । ୧୧୪ ରନର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଂଲାଲୋର । ସ୍ମୃତି ମନ୍ଦାନା ଓ ସୋଫିଆ ଦେବୀନା ଦଳକୁ ଭଲ ଆରମ୍ଭ ଦେଇଥିଲେ । ପରେ ଏଲିସ ପେରୀ ଓ ରିଚା ଘୋଷ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆରସିବିର ଭଲ ପ୍ରଦର୍ଶନ ସତ୍ତ୍ବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା ମ୍ଯାଚ୍ । ହେଲେ ଏଲିସ ପେରୀ ଓ ରିଚାଙ୍କ ଲଢୁଆ ବ୍ଯାଟିଂ ଦଳକୁ ବିଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷ ଓଭରରେ ୩ଟି ବଲ ବାକିଥାଇ ଟାର୍ଗେଟ ୧୧୪ ରନକୁ ହାସଲ କରିଥିଲା ଆରସିବି । ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଦଳ ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଏଲିସ ସର୍ବାଧିକ ୩୫, ସୋଫିଆ ୩୨, ସ୍ମୃତି ମନ୍ଦାନା ୩୧ ଓ ରିଚା ୧୭ ରନ କରିଥିଲେ ।