ବେଙ୍ଗାଲୁରୁ ଦଳାଚକଟା ପାଇଁ RCB ଦାୟୀ, ପୋଲିସ ଯାଦୁଗର କି ଭଗବାନ ନୁହେଁ: ଟ୍ରିବ୍ୟୁନାଲ
1 min read
ବେଙ୍ଗାଲୁରୁ: କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ (CAT) ଜୁନ୍ ୪ରେ ବେଙ୍ଗାଲୁରୁରେ ଘଟିଥିବା ଦଳାଚକଟା ପାଇଁ RCBକୁ ଦାୟୀ କରିଛି । ପୋଲିସର ବିନା ଅନୁମତିରେ ଟିମ୍ ସୋସିଆଲ ମିଡ଼ିଆରେ ବିଜୟ ଉତ୍ସବ ଘୋଷଣା କରିଦେଇଥିଲା । ଫଳରେ ଲକ୍ଷାଧିକ ଲୋକଙ୍କର ଭିଡ଼ ଜମିବା ସହ ୧୧ ଜଣ ପ୍ରାଣ ହରାଥିଲେ ଓ ଏକାଧିକ ଆହତ ହୋଇଥିଲେ । ପାଖାପାଖି ୩-୫ ଲକ୍ଷ ଲୋକଙ୍କର ଭିଡ଼ ଜମିବା ପାଇଁ RCB ଦାୟୀ । ଆରସିବି ପୋଲିସ ଠାରୁ ଉଚିତ ଅନୁମତି ବା ସହମତି ନେଇନଥିଲା । ଅଚାନକ ସୋସିଆଲ ମିଡ଼ିଆରେ ସୂଚନା ପୋଷ୍ଟ କରାଯାଇଥିଲା ଓ ତା’ର ପରିଣାମ ସ୍ବରୂପ ଲୋକମାନେ ଏକତ୍ର ହୋଇଯାଇଥିଲେ ।
ଆରସିବି ଦ୍ବାରା ଅଚାନକ କରାଯାଇଥିବା ସମାରୋହର ଘୋଷଣାକୁ ’ଅବ୍ୟବସ୍ଥା ସୃଷ୍ଟିକାରୀ’ ଆଖ୍ୟା ଦିଆଯାଇଛି । ଆଦେଶରେ କୁହାଯାଇଛି, ବିନା କୌଣସି ପୂର୍ବ ଅନୁମତିରେ ଅଚାନକ ଆରସିବି ଏହି ଅବ୍ୟବସ୍ଥାକୁ ସୃଷ୍ଟି କରିଥିଲା । କେବଳ ୧୨ ଘଣ୍ଟାରେ ପୋଲିସ ଆବଶ୍ୟକ ବ୍ୟବସ୍ଥା ପୋଲିସ ଅଧିନିୟମ ବା ଅନ୍ୟ ନିୟମ ଅନୁସାରେ କରିପାରିବ, ତାହା ଆଶା କରାଯାଇ ପାରିବ ନାହିଁ । ପୋଲିସ କର୍ମୀ ମଧ୍ୟ ମଣିଷ, ସେମାନେ ଭଗବାନ କି ଯାଦୁଗର ନୁହନ୍ତି । ପୋଲିସ ପାଖରେ ’ଅଲାଦୀନ କା ଚିରାଗ’ ପରି କୌଣସି ଯାଦୁ ଯନ୍ତ୍ର ନାହିଁ ଯେ, ସେ ତାହାକୁ ବୁଲାଇ କୌଣସି ବି ଇଚ୍ଛାକୁ ପୂରଣ କରିପାରିବ ।