ମାଗଣା ଟିକେଟ୍ ଗୁଜବ ପାଇଁ ଚାଲିଗଲା ୧୧ ଜୀବନ, ପୁଅର ପୋଷ୍ଟମର୍ଟମ ନକରିବାକୁ ନେହୁରା ହେଲେ ବାପା

1 min read

ନନ୍ଦିଘୋଷ ବ୍ୟୁରୋ : ସେଲିବ୍ରେସନ ପାଲଟିଲା ଟ୍ରାଜେଡି । ବାଙ୍ଗାଲୋରରେ RCB ଉତ୍ସବରେ ଯୋଗଦେବା ପାଇଁ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା। ଏହି ଦଳାଚକଟାରେ ଜଣେ ବାପା ତାଙ୍କର ଏକମାତ୍ର ପୁଅକୁ ହରାଇଛନ୍ତି।  ସେ କାନ୍ଦି କାନ୍ଦି ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପୋଷ୍ଟମର୍ଟମ ବିନା ତାଙ୍କ ପୁଅର ମୃତଦେହ ତାଙ୍କୁ ଫେରାଇ ଦିଆଯାଉ। ପୁଅର ମୃତଦେହକୁ ଖଣ୍ଡ ଖଣ୍ଡ କରନ୍ତୁ ନାହିଁ।

ଗତକାଲି ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲରେ ବିଜୟ ଟିମ୍ RCBର  ସେଲିବ୍ରେସନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ, ହେଲେ ଏହି ସମୟରେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଛଟିଛି ଏବଂ ଅନେକ ଆହତ ହୋଇଥିଲେ ।  ଏହି ଘଟଣା ସଭିଙ୍କୁ ବିଚଳିତ କରିଛି ।

ଏକମାତ୍ର ପୁଅକୁ ହରାଇଲା ବାପା

ଏହି ଦଳାଚକଟାରେ ଜଣେ ବ୍ୟକ୍ତି ତାଙ୍କ ଏକମାତ୍ର ପୁଅକୁ ହରାଛନ୍ତି । ତାଙ୍କ ଲୁହ ଆଉ ବୋଲ ମାନୁନି, ତାଙ୍କ ମନର ଯନ୍ତ୍ରଣା କହୁଛି ଯେ ତାଙ୍କ ଜୀବନରେ ସେ କେତେ ବଡ଼ ଜିନିଷ ହରାଇଛନ୍ତି । ଲୁହ ଛଳ ଛଳ ଆଖିରେ ସେ ଅନୁରୋଧ କରୁଛନ୍ତି କି , ପୋଷ୍ଟମର୍ଟମ ନକରି ତାଙ୍କ ପୁଅର ମୃତଦେହକୁ ଫେରାଇ ଦିଅନ୍ତୁ। ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ। ସେ କାନ୍ଦି କାନ୍ଦି କହିଛନ୍ତି କି, ମୋର କେବଳ ଗୋଟିଏ ପୁଅ ଥିଲା , ଆଜି ମୁଁ ତାକୁ ମଧ୍ୟ ହରାଇଲି। ସେ ମୋତେ ନକହି ଏଠାକୁ ଆସିଥିଲା । ଏବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଠାକୁ ଆସିବେ, ଦେଖା କରିବେ କିନ୍ତୁ କେହି ମୋ ପୁଅକୁ ଫେରାଇ ଆଣିପାରିବେ ନାହିଁ।

ଗୁଜବରୁ ଅଘଟଣ

୧୮ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ RCB (ର ପ୍ରଥମ ବିଜୟକୁ ପାଳନ କରିବା ପାଇଁ ଏକ ବିରାଟ ଭିଡ଼ ଏକତ୍ରିତ ହୋଇଥିଲା। ହେଲେ ସେହି ସମୟରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ମାଗଣା ଟିକେଟର ଗୁଜବ ବ୍ୟାପିଗଲା ଏବଂ ଏହି ଗୁଜବ ଏକ ବଡ଼ ଦୁର୍ଘଟଣାର କାରଣ ପାଲଟିଲା। ଭିତରେ ଉତ୍ସବ ଚାଲିଲା କିନ୍ତୁ ବାହାର ଆରମ୍ଭ ହୋଇଯାଇଥିଲା ଠେଲା ପେଲା, ଦଳାଚକଟା । ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା । ଭିଡ଼ ମଧ୍ୟରୁ କିଛି ଲୋକ ଜବରଦସ୍ତି ଷ୍ଟାଡିୟମ ଭିତରକୁ ଯିବାକୁ ଚେଷ୍ଟା କଲେ ଏହା ଫଳରେ ପରିସ୍ଥିତି ସଂଗୀନ ହୋଇପଡିଲା   ।

ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହି ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏପରି କି ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ଏହା ପରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦଳାଚକଟା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯିବ। ଯାହାର ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବାର ଆଶା କରାଯାଉଛି।