୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା
1 min readନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଲଗାତର ଏକାଦଶ ଥର ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ । ରେପୋ ରେଟ୍ ୪ ପ୍ରତିଶତରେ ସୀମିତ ରଖାଯାଇଥିବା ବେଳେ ରିଭର୍ସ ରେପୋ ରେଟ୍ ୩ ଦଶମିକ ୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।
ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ତେବେ ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ଭଲ ଥିବାରୁ ଭାରତୀୟ ଅର୍ଥବ୍ୟବସ୍ଥା ସନ୍ତୋଷଜନକ ସ୍ଥିତିରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ।
ଅନ୍ୟପଟେ, ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଦେଶର ଅର୍ଥନୀତି ସୁଧୁରୁଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି । ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ EMI ଶସ୍ତା ହେବ ନାହିଁ । ଏହାଦ୍ବାରା EMI ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆଶ୍ବସ୍ତି ମିଳିବ ନାହିଁ।