spot_img

Latest Posts

ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ଯାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟକୁ ୬ ଦଶମିକ ୫ରେ ଅପରିବର୍ତ୍ତିତ ରଖାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଶୁକ୍ରବାର ଦିନ ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ଯାଙ୍କ।

ଏହାଫଳରେ ଲୋନ୍, EMI, ଏବଂ ଅନ୍ୟାନ୍ୟ ଋଣ ପରିମାଣରେ ବୃଦ୍ଧି ସମ୍ଭାବନା କମ୍ ରହିଛି। ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ୍ ଘରୋଇ ଉତ୍ପାଦ ବା GDP ଅଭିବୃଦ୍ଧି ୭ ପ୍ରତିଶତରେ ରହିବା ନେଇ ଆକଳନ କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗତବର୍ଷ ଅଭିବୃଦ୍ଧି ୭.୬ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଚଳିତଥର ଏହା କମ୍ ରହିଛି।

ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି MPCରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ବା CPI ଇନଫ୍ଲେସନ୍ ରେଟ୍ ୪.୫ ପ୍ରତିଶତରେ ରହିବ ବୋଲି RBI ଆକଳନ କରିଛି। ଆସନ୍ତା ମୁଦ୍ରାନୀତି ସମୀକ୍ଷା ବୈଠକ ଜୁନ୍ ୫ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ସାଧାରଣତଃ ରେପୋରେଟ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇଛନ୍ତି।

 

Latest Posts

Don't Miss