ସୁଧ ହାର ବଢ଼ାଇଲା RBI, ମହଙ୍ଗା ହେବ କାର ଓ ଘର କିସ୍ତି

1 min read
RBI Increased Repo Rate Interest And EMI Will Be Larger

ମୁମ୍ବାଇ: ଦୀର୍ଘ ବ୍ୟବଧ୍ୟାନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍ ବୃଦ୍ଧି କରିଛନ୍ତି । ଗୋଟିଏ ଝଟକାରେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୪.୪୦ ପ୍ରତିଶତ ହୋଇଛି । ଏଥିସହ ମହଙ୍ଗା ହୋଇଛି ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଏବେ ମହଙ୍ଗା ହେବାକୁ ଯାଉଛି ମାସିକ କିସ୍ତି ବା ଇଏମ୍ଆଇ ।

ଦିନକୁ ଦିନ ଦରଦାମ୍ ବଢ଼ୁଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସମିତିର ବୈଠକରେ ଅର୍ଥନୀତିର ସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଏମପିସି ସଦସ୍ୟ ରେପୋ ରେଟ୍ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ୨୦୨୨ ମାର୍ଚ୍ଚ ପରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ି ୭ ପ୍ରତିଶତ ହୋଇଛି । ବିଶେଷକରି ଖାଇବା ପିଇବା ସାମଗ୍ରୀ ମହଙ୍ଗା ହୋଇଛି । ଏଥିସହ ବିଶ୍ୱରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦରବୃଦ୍ଧିର ଅନ୍ୟତମ କାରଣ ଦର୍ଶାଇଛନ୍ତି ଆରବିଆଇ ଗଭର୍ଣ୍ଣର । ଏବେ ଯୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଗହମ ସମେତ ଅନ୍ୟ ଖାଦ୍ୟ ଶସ୍ୟ ଦାମ ବଢ଼ିଛି । ଫଳରେ ବିଶ୍ୱସ୍ତରରେ ବିତରଣ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ଆରବିଆଇ ରେପୋ ରେଟ୍ ସହ କ୍ୟାଶ୍ ରିଜର୍ଭ ରେସିଓ ୦.୫୦ ପ୍ରତିଶତ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛି । ସୁଧ ହାର ବୃଦ୍ଧି ସ୍ୱଳ୍ପ ଅବଧିରେ ଆର୍ଥିକ ଅଭିବୃଦ୍ଧିକୁ ମଜଭୁତ କରିବ । ରେପୋ ରେଟ୍ ବଢ଼ିବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । ଇଏମ୍ଆଇ ବଢ଼ିଯିବ । ଗୃହ ଓ କାର ଋଣ ସହ ଅନ୍ୟ ଋଣ ଉପରେ ସୁଧହାର ବୃଦ୍ଧି ପାଇବ ।