ପୁଣି ରେପୋରେଟ୍ ବଢାଇଲା RBI, ମହଙ୍ଗା ହେବ ଇଏମଆଇ

ନୂଆଦିଲ୍ଲୀ: ଏଣିକି ଇଏମଆଇ ହେବ ମହଙ୍ଗା । ୨୫ ବେସିସ ପଏଣ୍ଟ ବଢ଼ିଲା ରେପୋରେଟ । ରେପୋରେଟ ହୋଇଛି ୬ ଦଶମିକ ୫ ପ୍ରତିଶତ । ଲଗାତର ୬ ଥର ଲାଗି ବଢ଼ାଇଛନ୍ତି ରିଜର୍ଭ ବ୍ୟାଙ୍କ । ମୁଦ୍ରାନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଆରବିଆଇର ଏହା ଚୂଡ଼ାନ୍ତ ବୃଦ୍ଧି ବୋଲି ଆଶା କରିଛନ୍ତି ବିଶେଷଜ୍ଞ । ଗତବର୍ଷ ମେ ମାସ ପରଠାରୁ ବର୍ତ୍ତମାନ ସୁଦ୍ଧା ଆରବିଆଇ ପକ୍ଷରୁ ରେପୋରେଟ ବୃଦ୍ଧି କରାଗଲାଣି ୨୫୦ ବେସିସ ପଏଣ୍ଟ । ଆରବିଆଇର ୩ ସଦସ୍ୟ ଓ ଅନ୍ୟ ୩ ଜଣ ବାହ୍ୟ ସଦସ୍ୟଙ୍କୁ ନେଇ ଗଠିତ କମିଟି ଏହି ନିର୍ଦ୍ଧାରଣ କରିଛନ୍ତି ।

ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଆଦାନୀ ଷ୍ଟକ ଝଡ଼ ସତ୍ତ୍ବେ ବ୍ୟାଙ୍କ କ୍ଷେତ୍ର ସ୍ଥିର ରହିଛି । ଗତ ଫେବ୍ରୁଆରୀ ୧ରେ ବଜେଟ ଆଗତ ପରଠାରୁ ୨୫ ବେସିସ ପଏଣ୍ଟ ବଢ଼ାଇବା ନେଇ ବିଭିନ୍ନ ମହଲ ପକ୍ଷରୁ ଆକଳନ କରାଯାଉଥିଲା । ଗତ ବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୮୮ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହି ହାର ରହିଥିଲା ୫ ଦଶମିକ ୭୨ ପ୍ରତିଶତ ।

ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମନିଟାରୀ ପଲିସି କମିଟି ବା ଏମପିସିର ୬ ସଦସ୍ଯଙ୍କ ମଧ୍ୟରୁ ୪ ଜଣ ସଦସ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ରେପୋରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି ପରେ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି ବା ଏସଡିଏଫ ୬ ଦଶମିକ ୨୫ ପ୍ରତିଶତ ହୋଇଥିବାବେଳେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ୬ ଦଶମିକ ୭୫ ପ୍ରତିଶତ ହୋଇଛି।