ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି । ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଅବଧି । ଦୁଇ ହଜାର ଟଙ୍କିଆ ବଦଳ ଅବଧି ଆଜି ସରୁଥିଲା । ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ନୂଆ ଡେଡଲାଇନ ଶେଷ ହେବା ପରେ ଅର୍ଥାତ ୮ ଅକ୍ଟୋବର ୨୦୨୩ରୁ ୨ ହଜାର ଟଙ୍କିଆ ନୋଟକୁ ଜମା ବା ବଦଳାଇବା ପ୍ରକ୍ରିୟା ବନ୍ଦ କରିଦିଆଯିବ । ଅର୍ଥାତ ୨ହଜାର ଟଙ୍କିଆ ନୋଟ୍ ୮ ଅକ୍ଟୋବରରୁ ଅଚଳ ହୋଇଯିବ । ତେବେ ଗୋଟେ ଥରରେ ୨ହଜାର ଟଙ୍କିଆ ନୋଟ୍ ସର୍ବାଧିକ ୨୦ ହଜାର ଟଙ୍କା ଜମା କରାଯାଇପାରିବ ।

ଆପଣ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ୨ହଜାର ଟଙ୍କିଆ ବ୍ୟାଙ୍କ ନୋଟ୍ ମଧ୍ୟ ପଠାଇପାରିବେ । ଏହି କାର୍ଯ୍ୟାଳୟ ମଧ୍ୟରୁ କେଉଁଠାରେ ମଧ୍ୟ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟ ବିନା କୌଣସି ସୀମାରେ ଜମା କରିପାରିବେ । ଯଦି ୭ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ବା ଜମା ସ୍ୱୀକାର କରିବାକୁ ମନା କରନ୍ତି ତେବେ ଆପଣ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଏହାର ଅଭିଯୋଗ କରିପାରିବେ । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ୨୩ ତାରିଖରୁ ଆରମ୍ଭ ହୋଇଥିଲା ବଦଳି ବା ଜମା ପ୍ରକ୍ରିୟା । ଆଜି ଏହା ଶେଷ ହେବାର ଥିଲା ହେଲେ ଆରବିଆଇ ଏହି ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦେଇଛି । ଏବେସୁଦ୍ଧା ୩.୫୬ ଲକ୍ଷ କୋଟିରୁ ୩.୪୨ ଲକ୍ଷ କୋଟି ୨୦୦୦ ଟଙ୍କିଆ ନୋଟ୍ ଫେରିଛି । ବର୍ତ୍ତମାନ ମାତ୍ର ୦.୧୪ ଲକ୍ଷ କୋଟି ଟଙ୍କାର ନୋଟ୍ ବଜାରରେ ରହିଛି ।