ନିୟମ ଅବମାନନା କାରଣରୁ ଦୁଇଟି ଆର୍ଥିକ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା RBI
1 min read
ଭାରତୀୟ ରିଜର୍ବ ବ୍ୟାଙ୍କ (RBI) ଅନେକ ସମୟରେ ନିୟମ ଅବମାନନା କାରଣରୁ କିଛି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ RBI ଦୁଇଟି ସଂସ୍ଥା ଉପରେ ଆକ୍ସନ ନେଇଛି । ହଂକଂ ଆଣ୍ଡ ସଂଘାଈ ବ୍ୟାଙ୍କିଂ କର୍ପୋରେସନ (HSBC) ଉପରେର ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏଥିସହିତ IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ୩୩ ଲକ୍ଷରୁ ଅଧିକ ଜରିମାନା ଲାଗୁ କରାଯାଇଛି । ନିୟମ ଅନୁପାଳନ ନ କରିବା କାରଣରୁ ଏହି ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ନେଣଦେଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି ।
ଆରବିଆଇ ମୁତାବକ, କେଓ୍ବାଇସି ଓ ଜମା ଉପରେ ସୁଧ ଦର ସମ୍ବନ୍ଧିତ ନିୟମ ପାଳନ କରିନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ HSBC ଉପରେ ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । IIFL ସମସ୍ତା ଫାଇନାନ୍ସ ଲିମିଟେଡ ନିୟମକୁ ସଠିକ୍ ଭାବେ ପାଳନ କରିନଥିବା ଜଣାପଡ଼ିଥିଲା । ସେଥିପାଇଁ ଏହି ସଂସ୍ଥା ଉପରେ ୩୩.୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ୨୦୨୩ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ HSBCର ଆର୍ଥିକ ସ୍ଥିତିକୁ କେନ୍ଦ୍ରୀୟ ବ୍ୟାଙ୍କ ନିରୀକ୍ଷଣ କରିଥିଲା । ମାତ୍ର ନିୟାମକ ଅନୁପାଳନ କରାଯାଇନଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କ ଆଣ୍ଟି-ମନି ଲଣ୍ଡରିଂକୁ ସମାପ୍ତ କରିବା ପାଇଁ ନିଜର ଗ୍ରୁପ କମ୍ପାନୀକୁ ଆଉଟସୋର୍ସ କରିଦେଇଥିଲା । କିଛି ଅଯୋଗ୍ୟ ସଂସ୍ଥାଙ୍କ ନାମରେ ସଞ୍ଚୟ ଖାତା ଖୋଲାଯାଇଥିଲା । ସେହିପରି IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ମଧ୍ୟ ସମାନ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।